ମୁଖ୍ୟ ଖବର

କଳାକାର ପକ୍ଷରୁ ୩୮ ତମ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ

By Biswaranjan Pattnaik

November 26, 2023

ଅନୁଗୁଳ: ସ୍ଥାନୀୟ ସଭାଘରେ ଅନୁଗୁଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାକାର ପକ୍ଷରୁ ୩୮ ତମ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ ହୋଇଛି। ଦୁଇ ଦିନିଆ ଏହି ସାଂସ୍କୃତିକ ମହୋତ୍ସବକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର। ନିଜ ବକ୍ତବ୍ୟରେ ଶ୍ରୀ ମହାପାତ୍ର ଦେଶର ବିକାଶରେ ଭାଷା ସଂସ୍କୃତିର ବିଶେଷ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ।ପ୍ରତିଭା ଚୟନ ଓ ବିକାଶ କ୍ଷେତ୍ରରେ କଳାକାରର ଭୂମିକା ମଧ୍ୟ ବେଶ୍ ପ୍ରଶଂସନୀୟ ବୋଲି ସେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ଯୋଗ ଦେଇ ଓଡ଼ିଆ ସଂସ୍କୃତିରେ ବୋଇତ ବନ୍ଦାଣ ଉତ୍ସବର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। କଳାକାରର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ ଓ ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର କଳାକାର ସଂଗଠନର କାର୍ଯ୍ୟାବଳୀ ପ୍ରକାଶ କରିଥିଲେ।ସମାରୋହରେ କଳାକାର ପକ୍ଷରୁ ପାରମ୍ପରିକ ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା।ସମାରୋହରେ ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶାରେ ପରଲୋକ ଗମନ କରିଥିବା କଳାକାର ମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବୈରାଗୀ ମଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସମାରୋହର ପ୍ରଥମ ଦିନରେ ନୃତ୍ୟ,ରଙ୍ଗଭର, ତାଳବାଦ୍ୟ,ଯନ୍ତ୍ର ସଙ୍ଗୀତ ଆଦି ଉପରେ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ମାନ ଆୟୋଜିତ ହେଉଛି।

ଆସନ୍ତା କାଲି ଉଦଯାପନୀ ଦିବସରେ ଓଡ଼ିଶାର ବିଶିଷ୍ଟ କଳାକାର ତଥା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଯୋଗ ଦେବେ ସେହିଭଳି ଓଡ଼ିଶାର ବିଶିଷ୍ଟ ଗାୟକ ଟି ସୌରିଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ ବୋଲି ଆୟୋଜକ ମାନେ ଜଣାଇଛନ୍ତି।