ମୁଖ୍ୟ ଖବର

ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା ଲୁହର ରଙ୍ଗ ଦର୍ଶକଙ୍କୁ କଲା ଅଶ୍ରୁ ସିକ୍ତ

By Biswaranjan Pattnaik

January 19, 2024

ଅନୁଗୋଳ: ସଭଘରେ ନାଟ୍ୟ ମେଳାର ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ ଲୁହର ରଙ୍ଗ ମଞ୍ଚସ୍ଥ ହୋଇଥିଲା। ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ନବଦିପ ମହାଳିକ ଏହି ଉତ୍ସବକୁ ଉଦଘାଟନ କରିଥିଲେ। ଜାଗରଣ ଆର୍ଟ ଇଣ୍ଟରନେସନାଲ,ଦେବଗଡ଼ ପକ୍ଷରୁ ଏହା ମଞ୍ଚସ୍ଥ ହୋଇଥିଲା। ବିଷୟ ବସ୍ତୁ ଥିଲା ଏହିପରି ଯେ- ବିଶିଷ୍ଟ ଚିତ୍ର ଶିଳ୍ପୀ ରାଇମୋହନଙ୍କ ମା ଛେଉଣ୍ଡ ବିବାହିତା କନ୍ୟା ଅସମୟରେ ବିଧବା ପାଲଟି ତାଙ୍କ ପାଖକୁ ଫେରି ଆସେ ଘଟଣା କ୍ରମେ ସେଦିନରୁ ଖୁବ୍ ମ୍ରିୟମାଣ ହୋଇ ରଙ୍ଗତୁଳୀ ଛାଡି ମଦ ବୋତଲ କୁ ଆପଣେଇ ନିଅନ୍ତି ରାଇମୋହନ । ବିଧବା ଝିଅ କଳ୍ପନା ପୁଣି କିପରି ତାର ସିନ୍ଥିର ସିନ୍ଦୂର ଫେରି ପାଇବ ସେ ନେଇ ସବୁ ବେଳେ ଚିନ୍ତାରେ ଥାଆନ୍ତି। ତାଙ୍କର ଏଇ ଅସମୟ ରେ ତାଙ୍କ ପରିବାର ସହିତ ଯୋଡ଼ି ହୁଏ ଯୁବ ଚିତ୍ରଶିଳ୍ପୀ ଅବିନାଶ ଗୁରୁଙ୍କର ବାୟାଦ ଭାବେ। ଗୋପନରେ ନିରବତା ଭିତରେ ଅବିନାଶ ଓ କଳ୍ପନା ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠେ। ଅବିନାଶର ବନ୍ଧୁ ଅଭିଷେକକୁ ହିଁ ନିଜର ମନର କଥା ଜଣାଏ। ଅଥଚ ଅଭିଷେକ ଏ ସମ୍ପର୍କକୁ ରାଇମୋହନଙ୍କୁ ଜଣାଇବି ଭାବି ବି ଜଣାଇ ପାରେନି ।

ହଠାତ ପଡୋଶୀରେ ରହୁଥିବା ପତ୍ନିହରା ଅଧ୍ୟାପକ ଦିଲ୍ଲୀପ ବାବୁ କେବଳ ନିଜର ଛୋଟ ଝିଅ ପାଇଁ ମା ର ସ୍ନେହ ପାଇବା ଆଳ ରେ କଳ୍ପନାକୁ ବାହା ହେବା ପାଇଁ ରାଜି ହୋଇ ଯାଆନ୍ତି । ଭାଙ୍ଗିଯାଏ ଅବିନାଶର ମନ। ତଥାପି ଭାରାକ୍ରାନ୍ତ ହୃଦୟକୁ ନେଇ ସେ କିଛି ଦିନ ପାଇଁ ଭୁବନେଶ୍ବର ଚାଲିଯାଏ। ତାର ପେଣ୍ଟିଂ ପାଇଁ ଜାତୀୟ ସ୍ତରରେ ପୁରସ୍କାର ଗ୍ରହଣ କରିବା ପାଇଁ। ତାପରେ ସବୁକିଛି ବଦଳି ସାରିଥାଏ। ମିନି ଦୁର୍ଘଟଣାରେ ମରିଯିବା ପରେ ଦିଲ୍ଲୀପ ବାବୁ ଏକାକୀ ଚାକିରି ଛାଡ଼ି ଚାଲିଯାଆନ୍ତି ବୃନ୍ଦାବନକୁ। କଳ୍ପନା ସ୍ଥିର କରିନିଏ ଯେ ସେ ଏକ ଅଶୁଭ ଲଗ୍ନରେ ଜନ୍ମ ହୋଇଥିବା ଝିଅ ଟିଏ। ମାଆକୁ ହରାଇଲା ସ୍ବାମୀକୁ ହରାଇଲା। ଯିଏ ତାକୁ ମା ବୋଲି ମାନି ନେଇଥିଲା ସେ ଝିଅକୁ ବି ହରାଇଲା । ଅନୁଶୋଚନା ଚାପରେ ନିଜେ ନିଜ ଜୀବନକୁ ହାରି ଦିଏ ।

ଭୁବନେଶ୍ୱରରୁ ଫେରି ଅବିନାଶ ତା ମନର କଥା ରାଇମୋହନଙ୍କୁ ଜଣାଏ । ରାଇମୋହନ ଅନୁତପ୍ତ ହୁଅନ୍ତି। ଅବିନାଶର ଆଖିର ଲୁହକୁ ବ୍ରସ ରେ ବୁଡାଇ ଧରାଇ ଦିଅନ୍ତି । ଅନୁମତି ଦିଅନ୍ତି ସିନ୍ଥିରେ ସିନ୍ଦୂର ବିନ୍ଦୁ ଟିଏ ଆଙ୍କି ଦେବାକୁ। ନାଟକକୁ ରଚନା କରିଛନ୍ତି ଅଶୋକ କୁମାର ବହିଦାର ଓ ନିର୍ଦ୍ଦେଶନା ଦେଇଛନ୍ତି ରଚନା – ନାଟ୍ୟରଶ୍ମି ଅଶୋକ କୁମାର ସୁଜିତ କୁମାର ପାତ୍ର।ସଙ୍ଗୀତ ନିର୍ଦ୍ଦେଶନା ଶକ୍ତି ପ୍ରସାଦ ମିଶ୍ର। ସମାରୋହରେ ନାଟ୍ୟମର ସଭାପତି ସୁଧାଂଶୁ ମୋହନ ଦ୍ବିବେଦୀ ଓ ସମ୍ପାଦକ ସମୀର ପଟ୍ଟନାୟକ ଉପସ୍ଥିତ ଥିଲେ। ନିଝର ଅଲି ଦାମାନି ଓ ହୃଦାନନ୍ଦ ପଣ୍ଡା ମଞ୍ଚରେ ସହାୟତା କରିଥିଲେ।