ମୁଖ୍ୟ ଖବର

ପୋଲିସ କବ୍‌ଜାରେ ଦୀର୍ଘ ଦିନ ହେଲା ଆତଙ୍କରାଜ୍ ଚଳାଇଥିବା ୪ ଦୁର୍ଦ୍ଦାନ୍ତ ଅପରାଧୀ, ୨ ବନ୍ଧୁକ ଓ ମାରଣାସ୍ତ୍ର ଜବତ

By Angul TV Bureau

December 18, 2022

ତାଳଚେର: ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟ୍‌ପାଟ୍ କରୁଥିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ପୋଲିସ ଏକ ସ୍କ୍ୱାର୍ଡ ଗଠିତ କରି ତାଳଚେର ସମେତ ଛେଣ୍ଡିପଦା, ଅନୁଗୁଳ, ବଅଁରପାଳ, ବିକ୍ରମପୁର ଥାନା ଅଞ୍ଚଳରେ ଆତଙ୍କ ରଚୁଥିବା ଏହି ଅଭିଯୁକ୍ତଙ୍କୁ ବାନ୍ଧିଛି। ସେମାନଙ୍କ ଠାରୁ ୨ଟି ବନ୍ଧୁକ, ୫ଟି ହାତ ବୋମା, ଗୋଟିଏ ଚାପଡ଼ ସହ ଦୁଇଟି ପଲସର ବାଇକ ଜବତ ହୋଇଛି।

ଅନୁଗୁଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ତାଳଚେର ଏସଡ଼ିପିଓ ଏବଂ ଏକ ସଶସ୍ତ୍ର ପୋଲିସ୍ ଟିମ୍ ଗଠନ କରାଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଟିମ୍ କୋଶଳାର ଏକ ଘରେ ଚଢ଼ଉ କରି ଏହି ୪ ଜଣଙ୍କୁ କାବୁ କରିଥିଲା।

ଅଭିଯୁକ୍ତମାନେ ସ୍ଥାନୀୟ ବାଘୁଆବିଲ ଅଞ୍ଚଳର ବିଜି ଓରଫ ବିକାଶ ନାଏକ, ଦେଉଳବେଡ଼ା ଧଉଡ଼ା ଅଞ୍ଚଳର ଟବୁ ଖାନ, ସୁରଜ ନାଏକ ଓ ଛେଣ୍ଡିପଦା କୋଶଳା ଅଞ୍ଚଳର ଦୀପୁ ନାଏକ। ସମସ୍ତଙ୍କୁ ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ଏହି ଡକାୟତମାନେ ବାଘୁଆବୋଲ ଆମାଜନ୍ ଅଫିସ୍‌ରେ ଡକାୟତି, ବାଲୁଙ୍ଗା ନିକଟରେ ମହିଳାଙ୍କୁ ଆକ୍ରମଣ କରି ଘରୁ ଲୁଟ୍‌, ସୁନାଖଣି ଅଞ୍ଚଳରେ ଡକାୟତି ଆଦିରେ ସମ୍ପୃକ୍ତ ଥିଲେ।