କିଶୋରନଗର: ମାଫିଆଙ୍କ ସହ ହାତ ମିଳାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ନେଇ ଅଭିଯୋଗ ପରେ କିଶୋରନଗର ଥାନାର ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଡିଆଇଜି। ନିଲମ୍ବିତ ହୋଇଥିବା
ଅଧିକାରୀମାନେ ହେଲେ କିଶୋରନଗର ଥାନା ଏଏସଆଇ ଜିତେନ୍ଦ୍ର ସାମନ୍ତ ସିଂହାର, କନେଷ୍ଟବଳ ମନୋଜ ନାଏକ, ଲିଙ୍ଗରାଜ ମୁଦୁଲି ଓ ଗାଡି ଡ୍ରାଇଭର ଅଜିତ୍ ସାହୁ (ଏବେ ଜିଲ୍ଲା ପୋଲିସ ହେଡ କ୍ବାର୍ଟରରେ ଅବସ୍ଥାପିତ)। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ପକ୍ଷରୁ ଗଞ୍ଜେଇ ମାଫିଆଙ୍କୁ ଧରପଗଡ଼ ଜୋର୍ ଧରିଛି। କିଶୋରନଗର ଥାନା ପୋଲିସ ଦମଦର ଗାଁର ଶମ୍ଭୁନାଥ ନାୟକଙ୍କ ଠାରୁ ଗତକିଛି ଦିନ ତଳେ ୪ କିଲୋ ୮୭୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ଶମ୍ଭୁନାଥ ତାର ସହଯୋଗୀ ସହ କିଛି ଦିନ ତଳେ ବୌଦ୍ଧ, ଫୁଲବାଣୀ ଅଞ୍ଚଳରୁ ବାଇକ ଯୋଗେ ଗଞ୍ଜେଇ ନେଇ ଆଠମଲ୍ଲିକ ମାଣିକ ପଥର ଦେଇ ଆସୁଥିବା ବେଳେ ଆଠମଲ୍ଲିକ ପୋଲିସ୍ ହାତରେ ଧରାପଡିଥିଲେ।
ଶମ୍ଭୁନାଥକୁ ପଚରାଉଚରା ପରେ କିଶୋରନଗର ପୋଲିସର ଏଏସଆଇ ଜିତେନ୍ଦ୍ର ସାମନ୍ତ ସିଂହାର, କନେଷ୍ଟବଳ ମନୋଜ ନାଏକ, ଲିଙ୍ଗରାଜ ମୁଦୁଲି ଓଏହି ଥାନାରେ ଥିବା ଗାଡି ଡ୍ରାଇଭର ଅଜିତ୍ ସାହୁ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ପୋଲିସକୁ କହିଥିଲା। ଡିଆଇଜି ଉମାଶଙ୍କର ଦାଶ ଛାନଭିନ ତଦନ୍ତ କରି ଏହି ୪ ପୋଲିସ୍ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।