ମୁଖ୍ୟ ଖବର

ଟାଟା ପାୱାରର ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଚେତାବନୀ: ୪ ପର୍ଯ୍ୟାୟ ଆନ୍ଦୋଳନ ସୂଚୀ ଜାରି

By Angul TV Bureau

May 17, 2026

ଅନୁଗୁଳ: ଟାଟା ପାୱାରର କଷ୍ଟ କଟିଙ୍ଗ୍ ଓ ଅନ୍ୟାୟ ଠିକା ଶ୍ରମିକ ଛଟେଇ ନୀତି ବିରୋଧରେ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଚାଇଁପାଳ ଶାଖା ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। ସମ୍ପାଦକ ବିକାଶ ସାହୁଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ୪ ଦଫା ସମ୍ବଳିତ ଦାବିପତ୍ର ଚାଇଁପାଳ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ପବିତ୍ର ମୋହନ ସାହୁଙ୍କୁ ପ୍ରଦାନ କରାଯାଇଛି।ଏହି ଦାବିପତ୍ର ଅନୁଯାୟୀ ମହାସଂଘ ପକ୍ଷରୁ ଚାରି ପର୍ଯ୍ୟାୟ ବିଶିଷ୍ଟ ଆନ୍ଦୋଳନ ସୂଚୀ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସାମୂହିକ କଳା ବ୍ୟାଜ୍ ପରିଧାନ କରାଯିବାକୁ ଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୨୧ ତାରିଖ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅଧାଦିନ ସାମୂହିକ ଛୁଟି ନିଆଯିବ।

ସେହିପରି ତୃତୀୟ ପର୍ଯ୍ୟାୟରେ ୨୮ ତାରିଖରେ ଭୁବନେଶ୍ୱରସ୍ଥିତ ଟାଟା ପାୱାର କର୍ପୋରେଟ୍ ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ ଏବଂ ଶେଷ ପର୍ଯ୍ୟାୟରେ ୨୯ ତାରିଖରୁ ସର୍କଲ ଓ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଜାରି ରହିବ। ଟାଟା ପାୱାର କର୍ତ୍ତୃପକ୍ଷ ଜିଦ୍‌ରେ ଅଟଳ ରହି ଶ୍ରମିକ ଛଟେଇ ବନ୍ଦ ନକଲେ, ଆଗାମୀ ଦିନରେ ଉପୁଜିବାକୁ ଥିବା ଯେକୌଣସି ଅପ୍ରୀତିକର ପରିସ୍ଥିତି ପାଇଁ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘ ଚେତାବନୀ ଦେଇଛି। କାର୍ଯ୍ୟକ୍ରମରେ ଶିବାଜୀରାଜ ପାଣି, ରଂଜିତ ବେହେରା, ରାଜେଶ ନାହାକ ଓ ଗୁରୁଦେବ ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।