ଅନୁଗୋଳ: ତାଳଚେରର ଐତିହାସିକ ଗଣେଶ ପୂଜା ପରମ୍ପରାର ଅନନ୍ୟ ଆକର୍ଷଣ ୪ ଟନ୍ ଓଜନର ବିଶାଳ ଆଜ୍ଞାଲଡୁ ଶୁକ୍ରବାର ସର୍ବସାଧାରଣ ନିଲାମରେ ବିକ୍ରି ହୋଇଛି। ବଡ଼ଦାଣ୍ଡ ସାହି ମେଲଣ ପଡ଼ିଆରେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଏହି ନିଲାମ ଅନୁଷ୍ଠିତ ହୋଇଥିଲା। ତିନି ଘଣ୍ଟା ଧରି ଚାଲିଥିବା ନିଲାମରେ ୬ ଜଣ ଭାଗ ନେଇଥିଲେ। ଶେଷରେ ଲାଲବାଗ ରାଜା ଓ ଡାଇମଣ୍ଡ ଗ୍ରୁପ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ସର୍ବାଧିକ ୧୭ ଲକ୍ଷ ଟଙ୍କାରେ ଡାଇମଣ୍ଡ ଗ୍ରୁପ୍ ଲଡୁ ଓ ଆଜ୍ଞାମାଳକୁ ନିଲାମରେ ନେଇଛି।
ଏହା ପୂର୍ବରୁ ଲଡୁକୁ ଚିତ୍ରକୂଟ ଗଣେଶ ମନ୍ଦିରରେ ପୂଜା କରାଯାଇ ଶୋଭାଯାତ୍ରାରେ ମେଲଣ ପଡ଼ିଆକୁ ଅଣାଯାଇଥିଲା। କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରଜ୍ଞାନନ୍ଦନ ଗିରି, ବିଭିନ୍ନ ବିଧାୟକ ଓ ଅନ୍ୟ ଅତିଥି ଯୋଗଦେଇଥିଲେ। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ପୁଲିସ ପକ୍ଷରୁ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।