ଅନୁଗୁଳ: ୪ ହଜାର ଟଙ୍କାର ଲଡୁକୁ ଠିକ ସମୟରେ ଦେଇ ନ ପରିବାରୁ ଅନୁଗୁଳ ଖାଉଟି ବିବାଦ ବିଚାର ମଞ୍ଚ ସମ୍ପୃକ୍ତ କୋରିଅର ସଂସ୍ଥାକୁ ୪୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ଅଦାଲତର କେଶ ସଂଖ୍ୟା ୬୭/୨୦୨୧ ଅନୁସାରେ ଗାନ୍ଧୀ ମାର୍ଗ ଅନୁଗୁଳରେ ରହୁଥିବା ବିଷ୍ଣୁ କଲ୍ୟାଣ ମଙ୍ଗରାଜ ଗତ ୨୭.୧୦.୨୧ରେ ଅଭିଯୋଗ କଲେକି ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ହାଇଦ୍ରାବାଦରୁ ୪ କିଲୋ ଲଡୁ ସହିତ କିଛି ଆଚାର ପଠାଇଥିଲେ। ଡିଟିଡିସି କୋରିଅର କମ୍ପାନୀରେ ଭଉଣୀ ଲଳିତା ଏଥିପାଇଁ ୭୫୦ ଟଙ୍କା ଦେୟ ମଧ୍ୟ ଦେଇଥିଲେ। କିନ୍ତୁ ପାର୍ସଲଟି ଆଉ ଅନୁଗୁଲ ପହଞ୍ଚି ନଥିଲା। ଦୁଇ ତିନି ଦିନ ପରେ ବିଷ୍ଣୁ ଯେତେ ଅନୁସନ୍ଧାନ କଲେ ବି ଅନୁଗୁଳ ଶାଖା ପାର୍ଶଲ ଆସି ନଥିବା କହିଲେ। ଅନେକ ଥର ଦୌଡିବା ପରେ କୋରିଅର ସଂସ୍ଥା ପାର୍ଶଲଟି ନଷ୍ଟ ହୋଇଯାଇଥିବା କହିଥିଲେ। ଏଥିନେଇ ବିଷ୍ଣୁ ଅଦାଲତରେ ଅଭିଯୋଗ କରିବା ପରେ ଡିଟିଡିସି କାଲ୍ଟାକ୍ସ ତୁରଙ୍ଗ ଶାଖା,କଷ୍ଟମର କେଆର ବାଙ୍ଗାଲୋର ଶାଖା,ଡିଟିଡିସି ମୁମ୍ବାଇ ସ୍ଥିତ ମୁଖ୍ୟ ଶାଖାକୁ ପକ୍ଷଭୁକ୍ତ କରି ସମନ କରିଥିଲେ ହେଲେ ସେମାନଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା।ତେଣୁ ଅଦାଲତ ପକ୍ଷରୁ ଅଧ୍ୟକ୍ଷ ସରୋଜ କୁମାର ସାହୁ ଅଭିଯୁକ୍ତଙ୍କୁ ଲଡୁ ଓ କୋରିଅର ଖର୍ଚ ବାଦ ସେବା ପ୍ରଦାନରେ ତ୍ରୁଟି ଏବଂ ଖାଉଟିଙ୍କୁ ମାନସିକ ଯନ୍ତ୍ରଣା ଦେଇଥିବାରୁ ୪୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।