ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଘଟିଥିବା ଏକ ସଶସ୍ତ୍ର ଡକାୟତି ମାମଲାର ପୋଲିସ ସଫଳ ପର୍ଦ୍ଦାଫାସ କରିଛି। ଘଟଣାରେ ସଂପୃକ୍ତ ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ୧୫,୮୪,୩୮୫ ଟଙ୍କାରୁ ୧୪,୮୫,୯୨୦ ଟଙ୍କା, ଗୋଟିଏ ମୋଟରସାଇକେଲ ଏବଂ ମାରଣାସ୍ତ୍ର ଭୁଜାଲି ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୧୧ ମେ ୨୦୨୬ରେ ସିଏମଏସ (CMS) କମ୍ପାନୀର କ୍ୟାସ କଲେକ୍ସନ ଏଜେଣ୍ଟ ପପୁନ ପୋଇ ବିଭିନ୍ନ ପ୍ରତିଷ୍ଠାନରୁ ଟଙ୍କା ସଂଗ୍ରହ କରି ମୋଟରସାଇକେଲରେ ଫେରୁଥିବା ବେଳେ, ସାଲଗାଡ଼ିଆ ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟି ନେଇଥିଲେ।ଅନୁଗୁଳ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ମୁଖ୍ୟ ଅଭିଯୁକ୍ତ ରାଜୁ ଓରଫ ରାଜେନ୍ଦ୍ର ପରିଡ଼ା, ସୁଜିତ କୁମାର ନାଏକ, ଡାକା ଓରଫ ଡାକ୍ତର ପରିଡ଼ା, ସଚିନ ସେଠୀ ଏବଂ ରୁଦ୍ରନାରାୟଣ ନାଏକଙ୍କୁ ଗିରଫ କରିଛି। ଜେରା ବେଳେ ଅଭିଯୁକ୍ତମାନେ ଗତ ୨୦୨୫ ଅକ୍ଟୋବରରେ ନାଲକୋ ଅଞ୍ଚଳରେ ହୋଇଥିବା ଅନ୍ୟ ଏକ ୯ ଲକ୍ଷ ଟଙ୍କାର ଲୁଟ୍ ମାମଲାରେ ମଧ୍ୟ ସଂପୃକ୍ତ ଥିବା ସ୍ୱୀକାର କରିଛନ୍ତି। ଏହି ଘଟଣାରେ ସୂଚନା ପ୍ରଦାନ କରିଥିବା ଫେରାର ଅଭିଯୁକ୍ତ କାହ୍ନା ପରିଡ଼ାକୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି।