ମୁଖ୍ୟ ଖବର

ବିଜିନେସ ଓ ଘୋଡ଼ା ଦୌଡ଼ରେଟଙ୍କା ଲଗାଇବାକୁ କହି ଠକି ନେଲେ ଲକ୍ଷାଧିକ ଟଙ୍କା, ୫ ସାଇବର ଠକ ଗିରଫ, କାର ଜବତ

By Biswaranjan Pattnaik

October 01, 2025

ଅନୁଗୁଳ: ବିଜନେସ ଓ ଘୋଡ଼ା ଦୌଡ଼ରେ ଟଙ୍କା ଲଗାଇ ରାତାରାତି କୋଟିପତି କରାଇଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଉଥିବା ଏକ ଦଳର ପାଞ୍ଚ ଜଣଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଜୁଲାଇ ମାସରେ ଅନୁଗୁଳ ଗାନ୍ଧୀ ମାର୍ଗର ଜଣେ ବ୍ୟକ୍ତିଙ୍କ ପାଖକୁ ଗୁଜୁରାଟ ବରୋଦା ଅଞ୍ଚଳର ବୋଲି ପରିଚୟ ଦେଇ ବିଶିଖା ଅଗ୍ରୱାଲ ନାମକ ଜଣେ ମହିଳା ସେ କାଠ ବିଯିନେସ ଓ ଘୋଡ଼ା ଦୌଡ଼ରେ ପାର୍ଟନର କରି କୋଟିପତି କରାଇ ଦେବାର ଲୋଭ ଦେଖାଇଥିଲେ।ଲୋଭରେ ପଡ଼ି ବ୍ୟକ୍ତି ଜଣକ ରାଜି ହେବାରୁ ଠକ କମ୍ପାନୀ ପକ୍ଷରୁ ଏକ ଲିଙ୍କ ପଠା ଯାଇଥିଲା। ଏହି ଲିଙ୍କ ଜରିଆରେ ଟଙ୍କା ପଠାଇବାକୁ କୁହା ଯାଇଥିଲା।

ଠକଙ୍କ ଠାରୁ ଜବତ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ

ବ୍ୟକ୍ତି ଜଣକ ପ୍ରଥମ ଦଫାରେ ପାଞ୍ଚଟି କିସ୍ତିରେ ୩୦,୮୦,୦୦୦ ଟଙ୍କା ଆକ୍ସିସ ବ୍ୟାଙ୍କ୍ ଆକାଉଣ୍ଟରୁ ଏବଂ ଦ୍ଵିତୀୟ ଦଫାରେ ଆଇସିଆଇସିଆଇ ବ୍ୟାଙ୍କରୁ ୨୧,୪୬,୦୦୦ ଟଙ୍କା ଟ୍ରାନସଫର କରିଥିଲେ। ଠକମାନେ ଏତେ ପଇସା ନେବା ପରେ ପୁଣି ୨୯,୪୨,୩୩୬ ଟଙ୍କା ଆୟକର ବାବଦକୁ ଦେବାକୁ ପଡ଼ିବ ବୋଲି ମାଗିଥିଲେ। ଏବେ ବ୍ୟକ୍ତି ଜଣକ ବୁଝି ପାରିଥିଲେ ସେ ସାଇବର ଠକ।ହାବୁଡ଼ରେ ପଡିଛନ୍ତି ବୋଲି।

ଶେଷରେ ସେ ୨୯.୮.୨୫ ରେ ଅନୁଗୁଳ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ଖବରପାଇ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ବଛାବଛା ଅଫିସରଙ୍କୁ ନେଇ ଏହାର ଛାନ୍ ଭିନ କରାଯାଇଥିଲା। କଲ ସିଡ଼ିଆର ଏବଂ ବ୍ୟାଙ୍କ ଦଲିଲରୁ ଅନୁସନ୍ଧାନ କରି ପୋଲିସ ଜାଣିପାରିଥିଲା ଯେ, ବାଲେଶ୍ଵର ସୋରୋ ଅଞ୍ଚଳର ଦିଲୀପ କୁମାର ଲେଙ୍କା ଓ ବିଜୟ କୁମାର ଜେନା ଏହି ଠକ ଦଳର କିଙ୍ଗପିନ।

ଠକାମୀରେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଦେଇ ଏହି ଦୁଇଜଣଙ୍କୁ ସହଯୋଗ ଦେଇଥିବା ଅନ୍ୟ ତିନିଜଣଙ୍କୁ ମଧ୍ୟ ପୋଲିସ ଧରିଥିଲା। ପୋଲିସ ଅକ୍ତିଆରକୁ ଆସିବା ପରେ ସେମାନେ ସତ ମାନି ଯାଇଥିଲେ। ଗିରଫ ଅନ୍ୟ ତିନିଜଣ ହେଲେ କୃପାସିନ୍ଧୁ ମହାରଣା,ଭଦ୍ରକ,ଚିତ୍ତରଞ୍ଜନ ମୁଦୁଲି ସୋରୋ ଏବଂ ମହମ୍ମଦ ନିଶାର ଆଲମ୍, ଦାରଜୀଲିଙ୍ଗ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଅଭିଯୁକ୍ତଙ୍କ ଠାରୁ ନଗଦ ୨,୨୮,୦୦୦ ଟଙ୍କା, ସୁନା ଗହଣା,ଏକାଧିକ ମୋବାଇଲ,ଏକାଧିକ ପାସ ବୁକ୍ ଜବତ କରାଯାଇଛି।ଅନୁଗୁଳ ଆଇଆଇ ଲସି ଧିରେଶ କୁମାର ଦାସଙ୍କ ନେତୃତ୍ୱରେ ଏସଆଇ ଇନ୍ସପେକ୍ଟର କାଲେଶ୍ୱର ସେଠୀ ,ସବ ଇନ୍ସପେକ୍ଟର ସୌରଭ ସାମଲ, ଗୋପୀନାଥ ଭାରତୀ ପ୍ରମୁଖ ତଦନ୍ତ ଦାୟିତ୍ୱ ନେଇଥିଲେ ।