ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବନ୍ତଳା ଥାନା ତଳଗଡ଼ର ନୂଆଭୂଇଁସାହିର ପଦ୍ମଲୋଚନ ଦେହୁରୀ(୧୯), ଓମ୍ ପ୍ରକାଶ ସିଂହ, ତାଳସାହିର ବିଶ୍ବଜିତ ବେହେରା(୨୫), ଚକାସାହିର ଜଣେ ନାବାଳକ ଓ ଅନୁଗୁଳ ସଦର ଥାନା ଛେଳିଆପଡ଼ାର ସୁମନ୍ତ ସାହୁ(୨୯)। ସେମାନଙ୍କ ପାଖରୁ ୨ଟି ପିସ୍ତଲ ସହ ୧୩ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ତେବେ ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି।
ଅନୁଗୁଳ ଏସ୍ପି ରାହୁଲ ଜୈନ ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବନ୍ତଳା ଥାନା ଧୋକୁଟାରେ ଗତ ୧୭ ତାରିଖ ରାତି ପ୍ରାୟ ୮ଟା ବେଳକୁ ବନ୍ତଳା ଥାନା କହ୍ନେଇନଗରର ବିଷ୍ଣୁଚରଣ ନାଏକ(୪୫) ଓ ଶିବରାମ ନାଏକ(୨୫)ଙ୍କୁ ଗୁଳିମାଡ଼ ହୋଇଥିଲା। ସେମାନେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଗୁଳିକାଣ୍ଡ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୨ଟି ଦେଶୀ ପିସ୍ତଲ, ୧୩ଟି ଜୀବନ୍ତ ଗୁଳି, ଗୋଟିଏ ଭୁଜାଲି, ୪ଟି ବାଇକ୍, ୫ଟି ମୋବାଇଲ ଫୋନ୍, ଗୋଟିଏ ଅଟୋରିକ୍ସା, ନଗଦ ୧୨୨୦ ଟଙ୍କା ଓ ଗୋଟିଏ ଏଟିଏମ୍ କାର୍ଡ ଜବତ କରାଯାଇଛି। ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାର ମୁଖ୍ୟ କାର୍ପଟଦାର ପୂର୍ବରୁ ଜେଲ୍ରେ ଥିବା ବେଳେ ଘଟଣା ନେଇ ଅଧିକ ତଦନ୍ତ ଚାଲିଥିବା ଏସ୍ପି ସୂଚନା ଦେଇଛନ୍ତି।