ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଓ ବାଗଡ଼ିଆ ଥାନା ପୋଲିସ ବେଆଇନ ବାଲି ଚାଲାଣ ବେଳେ ଚଢ଼ଉ କରି ୫ଟି ଟ୍ରାକ୍ଟର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ଛେଣ୍ଡିପଦା ବ୍ଲକରେ ଥିବା ବିଭିନ୍ନ ନଦୀ ନାଳରୁ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ଛେଣ୍ତିପଦା ପୋଲିସ ଚଢ଼ଉ କରିଥିଲା। ପୋଲିସ ୧୫୩ ନଂ ଜାତୀୟ ରାଜପଥର ମାମୁରିଆ ଗାଁ ନିକଟରୁ ଦୁଇଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିବା ବେଳେ ବଡ଼ ବେରେଣା ଓ କମ୍ପସଲା ଗାଁ ନିକଟରୁ ୨ଟି ଟ୍ରାକ୍ଟରକୁ ଜବତ କରିଛି। ଏଥି ସହିତ ଗାଡ଼ିର ଚାଳକ ବାଜି ସାହୁ, କୁନୁ ମୁଖି, ହେର୍ମ ସାହୁ, ହାଡ଼ିବନ୍ଧୁ ଭୋଇଙ୍କୁ ପୋଲିସ ଗିରଫ କରିଛି। ଏନେଇ ଛେଣ୍ଡିପଦାକୁ ଥାନା କେସ ନଂ ୧୦୮/୨୫, ୧୦୯/୨୫, ୧୧୦/୨୫ ରେ ଦୁଇଟି ମାମଲା ରୁଜୁ କରିବା ସହିତ ହାଡ଼ିବନ୍ଧୁ, କୁନୁ, ହେର୍ମ, ବାଜିକୁ ପୋଲିସ ସନ୍ଧ୍ୟା କୋର୍ଟ ଚାଲାଣ କରିଛି।
ସେହିପରି ବାଗଡ଼ିଆ ପୋଲିସ ଆଉଁଳି ନଦୀରୁ ବେଆଇନ ଚାଲାଣ ହେଉଥିବା ଖବର ପାଇ ବାମନାଳି ଗାଁ ନିକଟରୁ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହିତ ଟ୍ରାକ୍ଟର ଚାଳକ ବାବୁଲା ପ୍ରଧାନଙ୍କୁ ଗିରଫ କରିଛି। ଏନେଇ ବାଗଡ଼ିଆ ଥାନା କେସ ନଂ ୪୬/୨୫ ରେ ପୋଲିସ ଏକ ମାମଲା ରୁଜୁ କରି ବାବୁଲାକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।