ମୁଖ୍ୟ ଖବର

ବୀମା କମ୍ପାନୀର ଅବହେଳା, ୟୁନାଇଟେଡ ଇଣ୍ଡିଆ ଇନ୍ସ୍ୟୁରାନସ୍‌କୁ ୫୦ ଲକ୍ଷ ଜରିମାନା

By Biswaranjan Pattnaik

July 14, 2023

ଅନୁଗୁଳ: ବୀମା ଦେୟ ନ ଦେଇ ଟାଳଟୁଳ ନୀତି ଧରିବା ଯୋଗୁଁ ଅନୁଗୁଳ ୟୁନାଇଟେଡ ଇଣ୍ଡିଆ ଇନ୍ସ୍ୟୁରାନସ୍‌ ‌କମ୍ପାନୀକୁ ଅନୁଗୁଳ ଖାଉଟି ବିବାଦ ବିଚାର ମଞ୍ଚ‌ ୫୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ଘଟଣାରୁ ପ୍ରକାଶ ଯେ,୨୩.୮.୨୧ ରେ କୁଇଓ ତାଳତଇଲାର ଅନିଲ କୁମାର ଦଳବେହେରା ଅଭିଯୋଗ କରିଥିଲେ କି ସେ ତାଙ୍କର ଏକ ଶୀତଳ ଭଣ୍ଡାର ପାଇଁ‌ ୩୧.୩.୨୦୧୭ ରେ ବୀମା କରିଥିଲେ। ତେବେ ୪.୮.୨୦୧୭ ସନ୍ଧ୍ୟାରେ ଶୀତଳ ଭଣ୍ଡାରର ଭାଲଭ୍‌ ଗେଟରେ ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିଲା ଏବଂ ଶୀତଳ ଭଣ୍ଡାରର ବିଦ୍ୟୁତ୍‌ ସଂଯୋଗ କଟି ଯାଇଥିଲା।ଏହାପରେ ଅନିଲ ବୀମା କମ୍ପାନୀକୁ ଖବର ଦେଇଥିଲେ। କମ୍ପାନୀ ତାର ସର୍ଭେୟର ପଠାଇ ୨୬,୬୪,୧୨୮ ଟଙ୍କାର କ୍ଷତି ହୋଇଥିବା ରିପୋର୍ଟ ଦେଇଥିଲା।ଏଥିରେ ଅଭିଯୋଗକାରି ସନ୍ତୁଷ୍ଟ ନ ହୋଇ ସର୍ଭେୟର୍ଆ ସୋସିଏଟ୍‌କୁ ଏକ ନିରପେକ୍ଷ ସର୍ଭେୟାର ପଠାଇବା ପାଇଁ ପତ୍ର ଲେଖିଥିଲେ।ନୂଆ ସର୍ଭେୟର ମେଶିନାରି ଲସ ବାବଦକୁ ୪୬,୬୪୮ ଟଙ୍କା ଓ ଠିକଣା ସମୟରେ ବୀମା ଦେୟ ତଥା ବିଦ୍ୟୁତ୍‌ ସଂଯୋଗ ହୋଇ ନ ପାରିବାରୁ ଅଭିଯୋଗକାରୀଙ୍କ ସୂଚନା ଅନୁସାରେ ୫୨୮୫୬ ବସ୍ତା ଆଳୁ ଓ ଅନ୍ୟାନ୍ୟ ଜିନିଷ‌ପଚି ଯିବାରୁ ସେ ବାବଦକୁ ୪୯,୪୭,୫୦୮ ଟଙ୍କା କ୍ଷତି ହୋଇଥିବା ନେଇ ରିପୋର୍ଟ ଦେଇଥିଲେ । କିନ୍ତୁ ଏହି ରିପୋର୍ଟକୁ କମ୍ପାନୀ ଗ୍ରହଣ କରି ନ ଥିଲା କି କୌଣସି ଦେୟ ଦେଇ ନ ଥିଲା ।

ତେଣୁ ବାଧ୍ୟ ହୋଇ ଅନିଲ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ।ଅଦାଲତର ଅଧ୍ୟକ୍ଷ ସରୋଜ କୁମାର ସାହୁ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ନୂଆ ସର୍ଭେୟରଙ୍କ ରିପୋର୍ଟକୁ କାଏମ ରଖିବା ସହ ମାନସିକ ଯନ୍ତ୍ରଣା ଦେଇଥିବାରୁ ଅଭିଯୋଗକାରୀଙ୍କୁ ଅଧିକ ୫୦,୦୦୦ ଓ ମକଦ୍ଦମା ଖର୍ଚ୍ଚ ୫ ହଜାର ଏଭଳି ମୋଟ ୫୦,୪୯,୧୫୬ ଟଙ୍କାର କ୍ଷତି ପୂରଣ ସହ ଜୁଲାଇ ୨୦୨୧ ରୁ ୭ ପ୍ରତିଶତ ସୁଧ ମିଶାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁଗୁଳ ଖାଉଟି ଅଦାଲତ ଇତିହାସରେ ଏହା ସର୍ବାଧିକ ଜରିମାନା ବୋଲି କୁହା ଯାଉଛି। ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଭୂପେଶ୍‌ ଚନ୍ଦ୍ର ପ୍ରଧାନ ମକଦ୍ଦମା ପରିଚାଳନା କରିଥିଲେ।