ମୁଖ୍ୟ ଖବର

ବଇଣ୍ଡାରେ ୫୦ ଷ୍ଟ୍ରିଟ ଲାଇଟ ଅଚଳ: ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ

By Angul TV Bureau

October 22, 2025

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଛକରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଫ୍ଲାଏ ଓଭର ବ୍ରିଜରେ ଲଗାଯାଇଥିବା ୧୧୦ ଷ୍ଟ୍ରିଟ ଲାଇଟ ମଧ୍ୟରୁ ୫୦ଟି ଅଚଳ ହୋଇପଡ଼ିଛି। ଅଗଷ୍ଟ ମାସରେ ଲଗାଯାଇଥିବା ଏହି ଲାଇଟଗୁଡ଼ିକ ନିମ୍ନମାନର ହୋଇଥିବା ଅଭିଯୋଗ କରି ବଇଣ୍ଡା ଗ୍ରାମବାସୀ ବୁଧବାର ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଠିକା ସଂସ୍ଥା ନିମ୍ନମାନର ଲାଇଟ ଲଗାଇଛି, ଯାହା ଫଳରେ ଲାଇଟ ଲଗାଯିବାର ପ୍ରଥମ ଦିନରୁ ୩ଟି ଏବଂ ପରେ ୫୦ଟି ଲାଇଟ ଅଚଳ ହୋଇଛି। ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ମାତ୍ର ୫ ଘଣ୍ଟା ବିଦ୍ୟୁତ ସଂଯୋଗ ମିଳୁଛି, ଫଳରେ ରାତିରେ ବ୍ରିଜ ଅନ୍ଧକାର ହେଉଛି। ଏହା ଯୋଗୁଁ ଦୁର୍ବୃତ୍ତମାନେ ଗାଡ଼ି ଅଟକାଇ ଲୁଟ୍‌ପାଟ କରୁଥିବା ଅଭିଯୋଗ ହୋଇଛି।ବିଦ୍ୟୁତ ବିଭାଗରେ ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗ ଦାବି କରିଛି ଯେ ଲାଇଟଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ଠିକା ସଂସ୍ଥା ଏଆଇପିଏଲର। ବିଦ୍ୟୁତ ବିଭାଗର ଏସଡିଓ ଅକ୍ଷୟ କୁମାର ସାହୁ କହିଛନ୍ତି, ଅସୁବିଧାର ସମାଧାନ ପାଇଁ ଠିକା ସଂସ୍ଥା ପଦକ୍ଷେପ ନେବ। ଠିକା ସଂସ୍ଥାର ପରିଚାଳକ ତ୍ରିଲୋଚନ ବେହେରା ମଧ୍ୟ ଏ ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।ଗ୍ରାମବାସୀ ଅଚଳ ଲାଇଟଗୁଡ଼ିକୁ ନୂତନ କରିବା ଏବଂ ୧୨ ଘଣ୍ଟା ବିଦ୍ୟୁତ ସଂଯୋଗ ଯୋଗାଇବା ପାଇଁ ଦାବି କରିଛନ୍ତି।