ମୁଖ୍ୟ ଖବର

ଅନୁଗୋଳରେ ୪ ବର୍ଷରେ ମହିଳାଙ୍କଠାରୁ ୫୪ ସୁନାଚେନ୍‌ ଲୁଟ, ୭୮ ଅଭିଯୁକ୍ତ ଗିରଫ: ବିଧାନସଭାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

By Angul TV Bureau

September 29, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ମହିଳାଙ୍କଠାରୁ ସୁନାଚେନ୍‌ ଛିନତାଇ ଓ ଲୁଟ୍‌ ଘଟଣା ଗତ କିଛି ବର୍ଷ ଧରି ଘଟିଆସୁଛି। ଏ ସମ୍ପର୍କରେ ଜିଲ୍ଲାରେ ମୋଟ ୫୪ଟି ମାମଲା ରୁଜୁ ହୋଇଥିବା ବେଳେ ୭୮ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏଥିସହ ବିଭିନ୍ନ ମାମଲାରେ ୧୭ଟି ସୁନାଚେନ୍‌, ଗୋଟିଏ ମଙ୍ଗଳସୂତ୍ର ଓ ଦୁଇ ହଳ କାନଫୁଲ ଉଦ୍ଧାର ହୋଇଛି। ବିଧାନସଭାରେ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୦୨୩ ମସିହାରେ ମହିଳାଙ୍କଠାରୁ ସୁନାଚେନ୍‌ ଲୁଟ୍‌ର ୫ଟି ଘଟଣା ଘଟିଥିଲା। ଏ ସମ୍ପର୍କରେ ୫ଟି ମାମଲା ରୁଜୁ କରାଯାଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତାଙ୍କଠାରୁ ଗୋଟିଏ ସୁନାଚେନ୍‌ ଉଦ୍ଧାର ହୋଇଥିଲା।

ସେହିପରି ୨୦୨୪ରେ ୧୮ଟି ଘଟଣା ସାମ୍ନାକୁ ଆସିଥିଲା। ୧୮ଟି ମାମଲା ରୁଜୁ ହୋଇ ୩୩ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ସେମାନଙ୍କଠାରୁ ୭ଟି ସୁନାଚେନ୍‌ ଓ ଗୋଟିଏ ହଳ କାନଫୁଲ ଉଦ୍ଧାର କରାଯାଇଥିଲା।

୨୦୨୫ରେ ଲୁଟ୍‌ ଘଟଣା ବଢ଼ି ୨୨ରେ ପହଞ୍ଚିଥିଲା। ଏହି ସମସ୍ତ ଘଟଣାରେ ୨୨ଟି ମାମଲା ରୁଜୁ ହୋଇ ୪୨ ଜଣଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କଠାରୁ ୯ଟି ସୁନାଚେନ୍‌, ଗୋଟିଏ ମଙ୍ଗଳସୂତ୍ର ଓ ଗୋଟିଏ ହଳ କାନଫୁଲ ଉଦ୍ଧାର ହୋଇଥିଲା।ଚଳିତ ୨୦୨୬ ମସିହାରେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ୯ଟି ସୁନାଚେନ୍‌ ଲୁଟ୍‌ ଘଟଣା ଘଟିଥିବା ତଥ୍ୟରୁ ଜଣାପଡ଼ିଛି। ଏନେଇ ୯ଟି ମାମଲା ରୁଜୁ ହୋଇଥିବା ବେଳେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ତେବେ ଏହି ମାମଲାଗୁଡ଼ିକରେ ଏପର୍ଯ୍ୟନ୍ତ କୌଣସି ଲୁଟ୍‌ ସାମଗ୍ରୀ ଉଦ୍ଧାର ହୋଇନାହିଁ।

ତଥ୍ୟ ଅନୁଯାୟୀ, ୨୦୨୩ରୁ ୨୦୨୬ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାରେ ମୋଟ ୫୪ଟି ସୁନାଚେନ୍‌ ଲୁଟ୍‌ ଘଟଣାରେ ୫୪ଟି ମାମଲା ରୁଜୁ ହୋଇଛି। ଏହି ମାମଲାଗୁଡ଼ିକରେ ମୋଟ ୭୮ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।