ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ପରିଷଦର ୫୫ ତମ ସାଧାରଣ ବୈଠକ, ଜିଲ୍ଲାର ବିକାଶ ଉପରେ ଗୁରୁତ୍ୱ

By Biswaranjan Pattnaik

May 10, 2023

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ୫୫ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ ସ୍ୱାଗତ ଭାଷଣ ଦେବା ସହ ପୂର୍ବ ସଭାର ବିବରଣୀ ପାଠ କରିଥିଲେ।

ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଥିଲେ, ଜିଲ୍ଲାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ। ସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପାନୀୟ ଜଳ ଯୋଗାଣ ଓ ପରିମଳ, ଶିକ୍ଷା, କୃଷି,ବିଦ୍ୟୁତ,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା /ଗ୍ରାମ୍ୟ ଗୃହ ନିର୍ମାଣ,ଜଳ ସମ୍ପଦ ଜଙ୍ଗଲ ବିଭାଗ,ଶିଶୁ ଓ ମହିଳା ବିକାଶ ଏବଂ ଗ୍ରାମ୍ୟ ଉନ୍ନୟନ (RD)ବିଭାଗର କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ବୈଠକରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦର ଉପସଭାପତି ରଶ୍ମିତା ସେଠି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଅତିରିକ୍ତ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।