ମୁଖ୍ୟ ଖବର

୩ ନାବାଳକଙ୍କଠାରୁ ୬ ଚୋରି ବାଇକ୍ ଉଦ୍ଧାର

By Swagatika Samantray

November 09, 2022

ଅନୁଗୁଳ: ଅନୁଗୁଳ ସଦର ପୋଲିସ ବୁଧବାର ୩ ଜଣ ନାବାଳକଙ୍କଠାରୁ ୬ଟି ଚୋରି ହୋଇଥିବା ବାଇକ୍ ଉଦ୍ଧାର କରିଛି।

ସୂଚନା ଯେ, ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆ ଗାଁର ଧୃବ ଚରଣ ଦାସଙ୍କ ଘରୁ ସେପ୍ଟେମ୍ବର ୨୯ ତାରିଖ ରାତିରେ ୨ଟି ବାଇକ୍ ଚୋରି ହୋଇଥିଲା। ସେହିଭଳି ପ୍ରଗତୀନଗରରେ ଭଡ଼ାରେ ରହୁଥିବା ସୌମ୍ୟ ରଞ୍ଜନ ଜେନାଙ୍କର ଗୋଟିଏ ବିଏମଡବ୍ଲୁ ବାଇକ୍ ଯାହାର ମୂଲ୍ୟ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ବ ହେବ ଅକ୍ଟୋବର ୧ ତାରିଖରେ ଚୋରି ହୋଇଥିଲା। ଏ ନେଇ ଅଭିଯୋଗ ହେବାପରେ ପୋଲିସ ୨ଟି ମାମଲା ରୁଜୁକରି ଘଟଣାର ତଦନ୍ତକରି ଅନୁଗୁଳ ଗାଣ୍ଡୁପଡ଼ିଆରେ ରହୁଥିବା ହଣ୍ଡପା ଥାନା ଅଞ୍ଚଳର ଜଣେ ଓ ଠାକୁରଗଡ଼ ଥାନା ଅଞ୍ଚଳର ୨ ଜଣ ନାବାଳକଙ୍କ ଘରେ ବୁଧବାର ଚଢ଼ାଉକରି ୩ଟି ଚୋରି ବାଇକ୍ ଜବତ କରିଛି। ଏଥିସହ କଣିହାଁ ଥାନା ଅନ୍ତର୍ଗତ କଂଶମୁଣ୍ଡା ଗାଁର ସମୟ ନାଏକ(୨୩) ଓ ପ୍ରକାଶ ଚନ୍ଦ୍ର ସେଠୀ(୨୧)ଙ୍କ ଘରୁ ୨ଟି ବାଇକ୍ ଜବତ କରିଛି। ସମୟ ଓ ପ୍ରକାଶ ଏହି ୨ ବାଇକକୁ ନାବାଳକ ମାନଙ୍କ ଠାରୁ ଏହି ଚୋରି ବାଇକକୁ କିଣିଥିଲେ। ପୋଲିସ ୩ ନାବାଳକଙ୍କୁ ସ୍ବାଧାର ଗୃହପକୁ ପଠାଇଥିବା ବେଳେ ଚୋରି ବାଇକ୍ କିଣିଥିବା ସମୟ ଓ ପ୍ରକାଶଙ୍କୁ କୋର୍ଟ ଚାଲାଣ କରିଛି।