ମୁଖ୍ୟ ଖବର

ବିଶ୍ୱର ଶ୍ରେଷ୍ଠ ୫ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଉତ୍କଳ ବିଶ୍ୱବିଦ୍ୟାଳୟର ୬ ଅଧ୍ୟାପକ

By Angul TV Bureau

June 10, 2026

ଭୁବନେଶ୍ୱର: ଗବେଷଣା ଓ ବୈଜ୍ଞାନିକ ଅବଦାନ ଆଧାରରେ ପ୍ରକାଶିତ ୨୦୨୫ ‘ସାଇନ୍ସ-ରାଙ୍କ୍ ଗ୍ଲୋବାଲ୍ ରେଜିଷ୍ଟ୍ରି’ରେ ବିଶ୍ୱର ଶ୍ରେଷ୍ଠ ୫ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ୬ ଜଣ ଅଧ୍ୟାପକ ସ୍ଥାନ ପାଇଛନ୍ତି।

ସ୍ଥାନ ପାଇଥିବା ଅଧ୍ୟାପକମାନେ ହେଲେ ଭୂବିଜ୍ଞାନ ବିଭାଗର ପ୍ରଫେସର ଶ୍ରୀରୂପ ଗୋସ୍ୱାମୀ, ରସାୟନ ବିଜ୍ଞାନ ବିଭାଗର ଏମେରିଟସ୍ ପ୍ରଫେସର ନିଗମାନନ୍ଦ ଦାସ, ଗବେଷଣା ଓ ବିକାଶ ନିର୍ଦ୍ଦେଶକ ପ୍ରଫେସର ଜୟଦେବ ଦିଣ୍ଡା, ଉଦ୍ଭିଦ ବିଜ୍ଞାନ ବିଭାଗର ଏମେରିଟସ୍ ବୈଜ୍ଞାନିକ ପ୍ରଫେସର ଅନାଥ ବନ୍ଧୁ ଦାସ, ବିଶ୍ଳେଷଣାତ୍ମକ ଓ ପ୍ରାୟୋଗିକ ଅର୍ଥନୀତି ବିଭାଗର ଡଃ ହିମାଂଶୁ ଶେଖର ରାଉତ ଏବଂ ପ୍ରଫେସର ଗଗନ ବିହାରୀ ନିତ୍ୟାନନ୍ଦ ଚଇନି, ବାୟୋଟେକ୍ନୋଲୋଜି ଓ ପ୍ରାଣୀବିଜ୍ଞାନ ବିଭାଗ, ଅବସରପ୍ରାପ୍ତ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ସ୍ଥାନ ପାଇଥିବା ଅଧ୍ୟାପକମାନଙ୍କର କର୍କଟ ରୋଗର ଔଷଧ, ସବୁଜ ଶକ୍ତି, ଉଦ୍ଭିଦ ଜେନୋମ୍, ଅକ୍ସିଡେଟିଭ୍ ଷ୍ଟ୍ରେସ୍, ଆଣ୍ଟିଅକ୍ସିଡାଣ୍ଟ ଡିଫେନ୍ସ, ରେଡକ୍ସ ବାୟୋଲୋଜି ଏବଂ ଅର୍ଥନୈତିକ ସମୀକ୍ଷା କ୍ଷେତ୍ରରେ ରହିଥିବା ଅଗ୍ରଣୀ ଗବେଷଣା ବିଶ୍ୱସ୍ତରରେ ବହୁଳ ଭାବେ ଆଦୃତ ହୋଇଛି।

କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଅଧ୍ୟାପକମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, “ଏହି ସଫଳତା ଉତ୍କଳ ବିଶ୍ୱବିଦ୍ୟାଳୟର ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ଓ ନବସୃଜନ ପ୍ରତି ଦୃଢ଼ ପ୍ରତିବଦ୍ଧତାର ପ୍ରତିଫଳନ।” ସେ ସମସ୍ତଙ୍କ ଭବିଷ୍ୟତ ଗବେଷଣା ଓ ଶିକ୍ଷାଗତ କାର୍ଯ୍ୟର ସଫଳତା କାମନା କରିଛନ୍ତି। ଏହି ଅସାଧାରଣ ସଫଳତା ବିଶ୍ୱବିଦ୍ୟାଳୟର ଗୌରବ ବୃଦ୍ଧି କରିବା ସହ ସମଗ୍ର ଓଡ଼ିଶା ପାଇଁ ଗର୍ବ ଆଣିଦେଇଛି।