ଅନ୍ୟାନ୍ୟ

୬୮ତମ ଆନ୍ତର୍ଜାତୀୟ ବଧିର ସପ୍ତାହ ପାଳିତ

By Angul TV Bureau

September 29, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଧିର ସଂଘ ତରଫରୁ ୬୮ତମ ଆନ୍ତର୍ଜାତୀୟ ବଧିର ସପ୍ତାହ-୨୦୨୫ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମୂକ ଓ ବଧିର ଭାଇଭଉଣୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଶୋଭାଯାତ୍ରାକୁ ଉଦ୍‌ଘାଟନ କରିଥିଲେ।

ଏହି ସପ୍ତାହ ବିଶ୍ଵ ବଧିର ସଂଘର ଉଦ୍ୟମରେ ୧୯୫୮ ମସିହାରେ ଇଟାଲୀର ରୋମ୍‌ରେ ପ୍ରଥମେ ଆରମ୍ଭ ହୋଇଥିଲା। ଏହାର ଉଦ୍ଦେଶ୍ୟ ମୂକ ଓ ବଧିର ବ୍ୟକ୍ତିଙ୍କୁ ଏକତ୍ର କରି ସେମାନଙ୍କ ଅଧିକାର ଓ ସମାନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଅନୁଗୋଳର ୧୧ତମ ବାର୍ଷିକ ବଧିର ସମ୍ମିଳନୀରେ ପଦଯାତ୍ରା, ତର୍କ ପ୍ରତିଯୋଗିତା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ସମ୍ମିଳନୀରେ ସ୍ବେଚ୍ଛାସେବୀ ପ୍ରତାପ ମହାପାତ୍ର, ଦୁର୍ଗା ହୋଟେଲ ମ୍ୟାନେଜର ସୁନିଲ କୁମାର ସାହୁ ଓ ଓଡ଼ିଶା ବଧିର ସଂଘର ଉପାଧ୍ୟକ୍ଷ ମନୋରଞ୍ଜନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ବଧିର ସଂଘର ସଭାପତି ପର୍ଶୁରାମ ଦାଶ, ସମ୍ପାଦକ ବିଶ୍ବଜିତ୍ ହୋତା, ଉପସଭାପତି ସନ୍ତୋଷ ବେହେରା ଓ ସାଂକେତିକ ଭାଷା ଉପସ୍ଥାପକ ସମୀର କୁମାର ନାୟକ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ବଧିର ବ୍ୟକ୍ତିଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।