ଅନୁଗୁଳ: ଡକାୟତି ଯୋଜନା ପଣ୍ଡ। ୭ ଜଣ ଡକାୟତ ଗିରଫ। ରାସ୍ତା କଡ଼ରେ ଡକାୟତି କରିବା ପାଇଁ ପ୍ରସ୍ତୁତ ହେଉଥିବା ୭ ଜଣ ଡକାୟତଙ୍କୁ ଶନିବାର ରାତିରେ କଣ୍ଡାଳ ଠାରେ ତାଳଚେର ପୋଲିସ ଗିରଫ କରିଛି। ଏମାନଙ୍କ ନାମରେ ତାଳଚେର ଥାନାରେ ଏକ ମାମଲା ରୁଜୁ ହୋଇଛି ବୋଲି ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ପୂର୍ବାହ୍ନରେ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।
ସୂଚନା ମୁତାବକ, ଗତ ରାତିରେ ତାଳଚେର ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ କଣ୍ଡାଳ ଠାରେ ୭ ଜଣ ଡକାୟତ ରାହାଜାନୀ ଓ ଡକାୟତି ପାଇଁ ପ୍ରସ୍ତୁତ ହେଉଛନ୍ତି। ଖବର ପାଇ ତାଳଚେର ଏସଡିପିଓ ଓ ତାଳଚେର ଥାନା ଅଧିକାରୀ ସଙ୍ଗେ ସଙ୍ଗେ ଏକ ଟିମ୍ ଗଠନ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ପୋଲିସ ଏଯାଏ ସେମାନଙ୍କ ଠାରୁ ୧୨୦ ରୁ ଊର୍ଦ୍ଧ୍ବ ମୋବାଇଲ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଶ୍ରୀ ଜୈନ କହିଥିଲେ। ଏହାସହ ଏକ ହୁଣ୍ଡାଇ ଔରା କାର, ଏକ ଦେଶୀ ପିସ୍ତଲ, ଦୁଇଟି ଛୁରୀ, ଦୁଇଟି ଆଇରନ ରୋଡ, ଗୋଟିଏ ଟାଙ୍ଗିଆ, ବହୁଳ ବ୍ଲେଡ, ସ୍କ୍ରିଉ ଡ଼୍ରାଇଭର, ଟେଷ୍ଟର, ୨ ଟି ଟର୍ଚ୍ଚ, ଲାଇଟର ଓ ଲଙ୍କା ଗୁଣ୍ଡ ପ୍ୟାକେଟ ଆଦି ଜବତ କରାଯାଇଛି।
ତଦନ୍ତରୁ ଜଣାପଡ଼ିଛି ସମସ୍ତେ ପେଶାଦାର ଡକାୟତ ହୋଇଥିବା ବେଳେ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ବୋଲି ଶ୍ରୀ ଜୈନ କହିଛନ୍ତି। ଏହାସହ ଏହି ଡକାୟତ ମାନଙ୍କ ଠାରୁ ଜବତ ହୋଇଥିବା ଫୋନ ଯଦି କାହାର ଥାଏ ତେବେ ସେ ସଠିକ୍ କାଗଜ ପତ୍ର ଦେଖାଇ ଥାନାରୁ ତାହା ନେଇପାରିବେ ବୋଲି ଶ୍ରୀ ଜୈନ କହିଥିଲେ। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଥାନା ଅଧିକାରୀ ଦିଗବିଜୟ ବିଶ୍ଵାଳ ଓ କୋଲିୟାରୀ ଥାନା ଅଧିକାରୀ ରବୀନ୍ଦ୍ର କୁମାର ଭୁଜବଳ ପ୍ରମୁଖ ଉପସ୍ଥିତ ଥିଲେ।