ମୁଖ୍ୟ ଖବର

୭୦ ବନ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ତାଲିମ

By Biswaranjan Pattnaik

June 08, 2025

ଅନୁଗୁଳ: ଅନୁଗୁଳ ପୋଲିସ ଟ୍ରେନିଂ କଲେଜ ପରିସରରେ ୭୦ ଜଣ ଜଣ ବନ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ତାଲିମ ଦିଆଯାଇଥିଲା। ବନ୍ଧୁକକୁ କେଉଁ ପରିସ୍ଥିତିରେ ଓ କିଭଳି ଚଳାଇବେ ଏବଂ ଏହାର ସୁରକ୍ଷା ନେଇ ପୋଲିସ ପକ୍ଷରୁ ତାଲିମ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ଡେପୁଟି ରେଞ୍ଜର,ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ଯୋଗ ଦେଇଥିଲେ। ଜୁନ ୨ ତାରିଖ ରୁ ୭ ତାରିଖ ଯାଏ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିଲା।ଜଙ୍ଗଲରେ ଶିକାରୀଙ୍କୁ ମୁକାବିଲା କରିବା,ଜଙ୍ଗଲ ସୁରକ୍ଷା ତଥା  ଆତ୍ମରକ୍ଷା ପାଇଁ କିଭଳି ଅଗ୍ନେୟାସ୍ତ୍ରଚଳାଇବାକୁ ହୁଏ ତାହା ପୋଲିସ ପ୍ରଶିକ୍ଷକ ମାନେ ଶିଖାଇଥିଲେ।

ବନ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧିରେ ଏହି ଶିବିର ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥିଲା।କଲେଜ୍ ପରିସରରେ ମୌଖିକ ତାଲିମ ପରେ ଶାବଳଭଙ୍ଗା ଫାୟରିଂ ରେଞ୍ଜ ରେ ଅସଲ ବନ୍ଧୁକ ଚାଳନା ପ୍ରଶିକ୍ଷଣ ଦିଆଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ ହିନ୍ଦୋଳ ରେଞ୍ଜରେ ଜନ୍ତୁ ଶିକାରୀଙ୍କ ସହ ବନ କର୍ମଚାରୀଙ୍କ ମୁହାଁ ମୁହିଁ ବେଳେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା ଏବଂ ବନ କର୍ମଚାରୀଙ୍କୁବନ୍ଧୁକ ଯୋଗାଇବା ପାଇଁ ଦାବି ହୋଇଥିଲା।