କ୍ରୀଡ଼ା

ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲ: ଫାଇନାଲରେ ପ୍ରବେଶ କଲା ତେଜ ୱାରିଅରସ ମୂଷାପାପୁଲି

By Biswaranjan Pattnaik

November 23, 2024

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍ ଆଜି ତେଜ ୱାରିଅରସ ମୂଷାପାପୁଲି ଅନୁଗୁଳ ଓ ମର୍ଣ୍ଣିଂଷ୍ଟାର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଛି। ତେଜ ୱାରିଅରସ ମୂଷାପାପୁଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୯ ଉଇକେଟ ହରାଇ ୧୩୬ ରନ୍ ବିଜୟୀ ଲକ୍ଷ୍ୟ ରଖିଥିଲେ। ଜବାବରେ ମର୍ଣ୍ଣିଂଷ୍ଟାର କ୍ରିକେଟ କ୍ଲବ ୧୩ ଓଭର ୫ ଟି ବଲ ଖେଳି ସମସ୍ତ ଉଇକେଟ ହରାଇ ୮୧ ରନ୍ କରି ପରାସ୍ତ ହୋଇଥିଲେ। ଫଳରେ ତେଜ ୱାରିଅରସ ମୂଷାପାପୁଲି ଫାଇନାଲରେ ପ୍ରବେଶ କରିଛି। ମୂଷାପାପୁଲି ଦଳର ବବି ଠାକୁର ୩୭ ବଲ ରେ ଧୁଆଁଧାର ବ୍ୟାଟିଂ କରି ୫୧ ରନ କରିଥିଲେ ଓ ୨ ଓଭର ୫ ବଲରେ ଦୁଇଟି ଉଇକେଟ ନେଇ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ମ୍ୟାଚରେ ମୁଖ୍ୟ ଅତିଥି ଭାବେ ମା’ ମଙ୍ଗଳା ବିହାରର ପ୍ରୋପାଇଟର ପ୍ରଭାତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଟ୍ରକ୍ ମାଲିକ ସଂଘର ଉପ ସଭାପତି ଅମରେଶ ସ୍ବାଇଁ, ଡ଼ା ସୁଶାନ୍ତ କୁମାର ପଣ୍ଡା ଓ ମର୍ଣ୍ଣିଂଷ୍ଟାର କ୍ଲବ୍ ସଭାପତି ମାୟାଧର ମିଶ୍ର, ସମ୍ପାଦକ ରଞ୍ଜନକୁମାର ଧିର ସାମନ୍ତ, ସମରେନ୍ଦ୍ର ସ୍ବାଇଁ ଉପସ୍ଥିତ ଥିଲେ। ବିରେଞ୍ଜନ ମହାନ୍ତି ପ୍ରତ୍ୟେକ ଆକର୍ଷଣୀୟ ଛକା ପାଇଁ ୮୦ ଟଙ୍କାର ପୁରସ୍କାର ରାଶି ରଖିଥିଲେ। ଜୟକୃଷ୍ଣ ରାଉତ ଓ ଅନିଲ କୁମାର ଗଡ଼ନାୟକ ଖେଳ ପରିଚାଳନା କରିଥିଲେ। ଅଭୟ କୁମାର ପାଢୀ ଓ ରାମ ଚନ୍ଦ୍ର ସାହୁ ସ୍କୋର ବୋର୍ଡ ଦାୟିତ୍ୱରେ ଥିବା ବେଳେ ବିନୋଦ ସାମଲ ଓ ସୁକାନ୍ତ କୁମାର ତ୍ରିପାଠୀ କମେଣ୍ଟ୍ରି କରିଥିଲେ। ଆସନ୍ତାକାଲି ହିନ୍ଦୋଳ ଓ ମୂଷାପାପୁଲି ମଧ୍ୟରେ ଫାଇନାଲ ମ୍ୟାଚ ସକାଳ ୧୧ଟାରେ ଅନୁଷ୍ଠିତ ହେବ।