ଅନୁଗୁଳ: ସାଙ୍ଗ ଘରକୁ ବୁଲିବାକୁ ଆସି ପ୍ରାୟ ୯୦ ଗ୍ରାମ୍ ସୁନା ଅଳଙ୍କାର ଚୋରି କରିବା ଅଭିଯୋଗରେ ଅନୁଗୁଳ ଟାଉନ୍ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକର ଲିଜାରାଣୀ ପ୍ରଧାନ, ତାଙ୍କ ସ୍ବାମୀ ବିକାଶ ବେହେରା ଓ ଚୋରି ସୁନା କିଣିଥିବା ସମ୍ବଲପୁରର ସରିତା ସିଂ। ସେମାନଙ୍କ ନିକଟରୁ ୭୦ ଗ୍ରାମ୍ ସୁନା ଜବତ ହୋଇଛି।ପୋଲିସ ସୂଚନା ଅନୁସାରେ, ଗୁଜୁରାଟିପଡ଼ାର ଅର୍ଜନା ନାୟକଙ୍କ ଘରକୁ ଗତ ମାର୍ଚ୍ଚ ୧୬ରେ ତାଙ୍କ ସାଙ୍ଗ ଲିଜାରାଣୀ ବୁଲିବାକୁ ଆସିଥିଲେ। ଦହିବରା ଖାଇବା ସହ ଉଭୟେ ମିଶି ବଡ଼ି ପ୍ରସ୍ତୁତ କରିଥିଲେ। ଏହି ସମୟରେ ବେଡ୍ରୁମ୍ ଆଲମିରାରେ ଥିବା ସୁନା ଗହଣା ଦେଖି ଲିଜାରାଣୀଙ୍କ ଲୋଭ ହୋଇଥିଲା ଓ ସେ ସୁଯୋଗ ଦେଖି ତାହା ଚୋରି କରି ନେଇଥିଲେ।
ପରଦିନ ଅର୍ଜନା ଗହଣା ନପାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଲିଜାରାଣୀ ଚୋରି ସୁନା ସ୍ବାମୀଙ୍କ ସହାୟତାରେ ସମ୍ବଲପୁରର ସରିତାଙ୍କୁ ବିକ୍ରି କରିଥିବା ସ୍ବୀକାର କରିଛନ୍ତି। ଶୁକ୍ରବାର ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।