ମୁଖ୍ୟ ଖବର

ଓ.ପି ଜିନ୍ଦଲଙ୍କ ୯୪ତମ ଜନ୍ମବାର୍ଷିକୀ ପାଳିତ: ରକ୍ତଦାନ ଶିବିର, ବରିଷ୍ଠ ନାଗରିକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

By Biswaranjan Pattnaik

August 08, 2024

ଅନୁଗୁଳ: ଓ. ପି. ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଓମ୍ ପ୍ରକାଶ ଜିନ୍ଦଲ (ବାଉଜୀ)ଙ୍କ ୯୪ ତମ ଜନ୍ମ ବାର୍ଷିକୀ ଅନୁଗୁଳ ପ୍ଲାଣ୍ଟରେ ବେଶ ଧୁମଧାମରେ ପାଳିତ ହୋଇଛି। ସକାଳେ ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମଲହାନ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ଓ. ପି. ଜିନ୍ଦଲଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁବାଷ ଜୈନ, ଅତୁଲ ଦୁବେ, ଏସ୍.କେ ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଜେଏସପି ଅଧିକାରୀ ମଧ୍ୟ ବାଉଜୀଙ୍କ ଜୀବନୀ ବିଷୟରେ ପ୍ରେରଣାଦାୟୀ କଥା ସବୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଜେଏସପି ଫାଉଣ୍ଡେସନ୍ ଏବଂ ଓଡ଼ିଶା ରକ୍ତଭଣ୍ଡାର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଙ୍ଗଳବାର ଆୟୋଜିତ ହୋଇଥିଲା। ପରେ ରାଜ୍ୟସ୍ତରୀୟ ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୪ ପିଟିସି ଗ୍ରାଉଣ୍ଡରେ ଉଦଘାଟିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଡିଏମ୍, ଅନୁଗୁଳ ପ୍ରତାପ ପ୍ରୀତିମୟ, ସମ୍ମାନିତ ଅତିଥି ଭାବେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ପଙ୍କଜ ମଲହାନ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଜିଲ୍ଲା କ୍ରୀଡା ସଂସଦର କୋଷାଧ୍ୟକ୍ଷ କିଶୋର କୁମାର କର, ଓ.ପି ଜିନ୍ଦଲ କମ୍ୟୁନିଟି କଲେଜର ଅଧ୍ୟକ୍ଷ ପ୍ରସନ୍ନ ପାତ୍ର ଏବଂ ଜେଏସପି, ଅନୁଗୁଳ ସିଏସଆର ବିଭାଗୀୟ ମୁଖ୍ୟ ଜୟନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ୧୮ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ।

ଜୟନ୍ତୀ ଅବସରରେ ଜେଏସପି ଫାଉଣ୍ଡେସନ୍ ପକ୍ଷରୁ ଜିଲ୍ଲାର ୨ଟି ଜାଗୃତି ହୋମ୍ସ, ସାଇନାଥ ବୃଦ୍ଧାଶ୍ରମ, ଦିଶା ବୃଦ୍ଧାଶ୍ରମ ସମେତ କେଦାରଗୗରୀ ଚକ୍ଷୁହୀନ ବୃତ୍ତିଗତ ବିଦ୍ୟାଳୟ ଏବଂ ରେଡକ୍ରସ ସ୍ୱତନ୍ତ୍ର ଅନ୍ଧ, ମୁକ ଓ ବଧିର ଆବାସିକ ବିଦ୍ଯାଳୟରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ସେହିପରି ଗୋପାଳ ଗୋଶାଳା, ପଂଚମହଲ ଗୋଶାଳା ଏବଂ ଗୋ ସେବା ଡାଏରୀକୁ ଗୋ ଖାଦ୍ୟ ଯୋଗାଇ ଦିଆଯାଇଥିଲା।

ସନ୍ଧ୍ୟାରେ ଜିନ୍ଦଲ ନଗର ଟାଉନସିପରେ ଏକ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଏଥିରେ ଲୋକପ୍ରିୟ କଣ୍ଠଶିଳ୍ପୀ କବିତା ପୌଡ଼ୱାଲ ଭଜନ ପରିବେଷଣ କରିଥିଲେ।