ଭୁବନେଶ୍ୱର: ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ କଲେଜରେ ଡାକ୍ତର ଅଭାବ ନେଇ ବିଧାନସଭାରେ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ। ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, କଲେଜଟି ୨୪ଟି ବିଭାଗକୁ ନେଇ ୨୦୨୪-୨୫ ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ ହୋଇଛି।
ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, କଲେଜରେ ମୋଟ ୨୦୬ଟି ମଞ୍ଜୁର ପଦବୀ ମଧ୍ୟରୁ ୯୫ଟି ପଦ ଖାଲି ପଡ଼ିଛି। ଅର୍ଥାତ୍ ମାତ୍ର ୧୧୧ ପଦରେ ନିଯୁକ୍ତି ହୋଇଛି। ତଥ୍ୟ ଅନୁସାରେ, ପ୍ରଫେସର ପଦ ୧୪ ମଞ୍ଜୁର, ୯ ଖାଲି, ଆସୋସିଏଟ୍ ପ୍ରୋଫେସର ପଦ ୩୩ ମଞ୍ଜୁର, ୨୩ ଖାଲି, ଆସିଷ୍ଟାଣ୍ଟ ପ୍ରୋଫେସର ପଦ ୫୧ ମଞ୍ଜୁର, ୯ ଖାଲି, ସିନିୟର ରେସିଡେଣ୍ଟ ପଦ ୪୪ ମଞ୍ଜୁର, ୨୦ ଖାଲି, ଟ୍ୟୁଟର ପଦ ୨୬ ମଞ୍ଜୁର, ୨ ଖାଲି, ଜୁନିୟର ରେସିଡେଣ୍ଟ ପଦ ୩୮ ମଞ୍ଜୁର, ୩୨ ଖାଲି ରହିଛି। ସବୁଠୁ ଅଧିକ ଜୁନିୟର ରେସିଡେଣ୍ଟ ୩୮ ରୁ ୩୨ ପଦ ଏବଂ ଆସୋସିଏଟ୍ ପ୍ରୋଫେସର ୩୩ ରୁ ୨୩ ପଦ ଖାଲି ରହିଛି।