କ୍ରୀଡ଼ା

୯ମ ମର୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ମୂଷାପାପୁଲିକୁ ହରାଇ ଚଣ୍ଡିଖୋଲ ଚମ୍ପିୟାନ

By Biswaranjan Pattnaik

January 18, 2026

ଅନୁଗୁଳ: ଆଜି କଦମ ପଡିଆରେ ଚାଲିଥିବା ନବମ ମର୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲରେ କେ.ସି.ସି ଚଣ୍ଡିଖୋଲ ତେଜ ୱାରିଅରସ୍ ମୁଷାପାପୁଲିକୁ ହରାଇ ଚମ୍ପିୟାନ ହୋଇଥିଲା। ମୂଶାପାପୁଲି ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ସମସ୍ତ ୱିକେଟ ହରାଇ ୧୨୦ ରନ କରିଥିଲେ। ଏହାର ଜବାବରେ ଚଣ୍ଡିଖୋଲ ଦଳ ୧୨ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ।

ଚଣ୍ଡିଖୋଲର ବୋଲର ହିମାଂଶୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଏବଂ ଆଲୋକ ଜେନା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଚମ୍ପିୟାନ ଚଣ୍ଡିଖୋଲ ଦଳକୁ ନଗଦ ୪୦ ହଜାର ଟଙ୍କା ସହ ଟ୍ରଫିକୁ ଅତିଥି ମାନେ ପ୍ରଦାନ କରିଥିଲେ। ରନରସଅପ୍ ମୂଷାପାପୁଲି ଦଳକୁ ନଗଦ ୩୦ ହଜାର ଟଙ୍କା ଓ ଟ୍ରଫି ଦିଆଯାଇଥିଲା।

ମୁଖ୍ୟ ଅତିଥି ରୂପେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଜିଲ୍ଲାରେ କ୍ରିକେଟର ଭିତ୍ତିଭୂମି ବିକାଶର ପାଇଁ ଧ୍ୟାନ ଦିଆଯିବା ସହ ଖୁବ୍ ଶୀଘ୍ର ପଡିଆରେ ଫ୍ଲଡ ଲାଇଟ୍ ଲାଗିବ ବୋଲି କହିଥିଲେ। ସମ୍ମାନିତ ଅତିଥି ରୂପେ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଜେଏସପିଏଲର ବରିଷ୍ଠ ଅଧିକାରୀ ଆଶୁତୋଷ ମିଶ୍ର, ତାପସ କୁମାର ମହାନ୍ତି,ଅନୁଗୋଳ କ୍ରିକେଟ ଆସୋସିଏସନର ସମ୍ପାଦକ ସାଗର ନାଥ ମିଶ୍ର,ବିଶିଷ୍ଟ ବ୍ୟବସାୟୀ ସତ୍ୟବ୍ରତ ସ୍ୱାଇଁ, ମର୍ଣିଂଷ୍ଟାର କ୍ଳବ୍ ସଭାପତି ମାୟାଧର ମିଶ୍ର,ସମ୍ପାଦକ ରଞ୍ଜନ ଧିର ସାମନ୍ତ, ଅରୁଣ ପୁଷ୍ପାଳକ, ଗଙ୍ଗା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଅନିଲ ଗଡ଼ନାୟକ ଓ ଲିଟୁ ସିଂହ ଖେଳ ପରିଚାଳନା କରିଥିବା ବେଳେ ଲିଟନ ସାମଲ ମଞ୍ଚ ପରିଚାଳନା କରିଥିଲେ।