ମୁଖ୍ୟ ଖବର

ଜିଲ୍ଲାର ପ୍ରଦୂଷଣ ସ୍ଥିତିକୁ ଅନୁଧ୍ୟାନ କରିବାକୁ ଅନୁଗୁଳରେ ପହଞ୍ଚିଲେ ବିଧାନସଭାର ୪ ଜଣିଆ କମିଟି, କାରଖାନା ବୁଲି କଲେ ସ୍ଥିତି ଅନୁଧ୍ୟାନ

By Angul TV Bureau

September 27, 2022

ଅନୁଗୁଳ: ଜିଲ୍ଲାର ପ୍ରଦୂଷଣ ସ୍ଥିତିକୁ ଅନୁଧ୍ୟାନ କରିବା ନିମନ୍ତେ ସୋମବାର ଓଡ଼ିଶା ବିଧାନସଭାର ୪ ଜଣିଆ କମିଟି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ପରିଦର୍ଶନ କରିଛନ୍ତି। କମିଟିରେ ବିଧାୟକ ସାରଦା ପ୍ରସାଦ ନାୟକ, ମନୋହର ରନ୍ଧାରି ଓ ବିଧାୟିକା ମିନାକ୍ଷୀ ମହାନ୍ତ ପ୍ରମୁଖ ଆସିଥିଲେ।

କମିଟି ବିଭିନ୍ନ ଶିଳ୍ପ ସଂସ୍ଥା ତଥା ନରଭେରମ ପାୱାର ଆଣ୍ଡ ଷ୍ଟିଲ, ଏମ୍ ଜି ଏମ୍ ମିନେରାଲ ଓ ଟାଟା ଷ୍ଟିଲ ପ୍ରଭୃତି କାରଖାନା ପରିଦର୍ଶନ କରି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣର ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ନିୟନ୍ତ୍ରଣ ପାଇଁ କାରଖାନା କି ପଦକ୍ଷେପ ନେଇଛନ୍ତି ପଚାରି ବୁଝିଛନ୍ତି।

ପ୍ରାରମ୍ଭରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଜିଲ୍ଲାରେ କଳକାରଖାନା ଗୁଡିକରେ ସରକାରଙ୍କର ବିଭିନ୍ନ ଆଇନ୍ ପ୍ରଣୟନ ଉପରେ ଗୁରୁତ୍ବାରୋପ କରିଥିଲେ। ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଉପଜିଲ୍ଲାପାଳ ବଇତୁରା ଦିପ୍, ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଅରୁପ ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, କଳକାରଖାନାର କର୍ମକର୍ତ୍ତା ଉପସ୍ଥିତ ଥିଲେ।