ମୁଖ୍ୟ ଖବର

ଅନୁଗୁଳକୁ ଆସିଲା ଜାପାନୀ ଜ୍ଵର: ଜଣେ ଶିଶୁ ଆକ୍ରାନ୍ତ,ଅନୁସନ୍ଧାନ ଆରମ୍ଭ

By Biswaranjan Pattnaik

December 05, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଶିଶୁ ଜାପାନୀ ଜ୍ବରରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଛି। ପ୍ରାୟ ୮ ବର୍ଷର ଏହି ଶିଶୁଟି ସ୍ଥାନୀୟ ତାମ୍ରିତ୍ କଲୋନୀ ନିକଟସ୍ଥ ମାଟିଆ ସାହି ବସ୍ତିରେ ସପରିବାର ରହେ। ଯାଯାବର ସମ୍ପ୍ରଦାୟର ଏହି ପରିବାର ଜରି ଗୋଟାଇ ଚଳନ୍ତି। ସେମାନଙ୍କ ଘର ଆଖ ପାଖରେ ୫୦ରୁ ଅଧିକ ଘୁଷୁରୀ ରହୁଥିବା ଜଣା ପଡ଼ିଛି।

ଖବରପାଇ ଅନୁଗୁଳ ସିଡିଏମଓଙ୍କ ନିର୍ଦ୍ଦେଶରେ ଡ଼ା ପୂର୍ଣ୍ଣିମା ଉଦଗାତା ଏବଂ ତାଙ୍କ ଟିମ୍ ସେଠାକୁ ଯାଇ ଘଟଣା ସ୍ଥଳ ବୁଲି ଦେଖିଥିଲେ। ସେଠାକାର ପରିବେଶ ଅସ୍ୱାସ୍ଥ୍ୟକର ଥିବାରୁ ଏହାର ପ୍ରତିକାର ନେଇ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି।ଜାପାନୀ ଜ୍ଵର ବା ଜାପାନୀ ଏନସିଫାଲାଇଟିଜ୍ ପଶୁ ବିଶେଷକରି ସଂକ୍ରମିତ ଘୁଷୁରୀ ଠାରୁ ମଶା ମାଧ୍ୟମରେ ମଣିଷ ଦେହକୁ ଆସିଥାଏ। ଏଥିନେଇ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତିଙ୍କୁ ଯୋଗାଯୋଗ କରାଯିବାରେ ଏଥିନେଇ ଭୟଭୀତ ହେବାର ନୁହେଁ ବୋଲି ପ୍ରକାଶ କରିଥିଲେ।

ରୋଗୀର ରୋଗ ଉପଶମ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ନିଜ ଘର ଚାରି ପାଖକୁ ସଫା ସୂତର ରଖିବା ସହ ମଶା ଠାରୁ ଦୂରେଇ ରହିବା ପାଇଁ ଶରୀରକୁ ଯଥା ସମ୍ଭବ ଅଧିକ ଘୋଡାଇ ରଖିବା ପାଇଁ ଡ଼ା ମହାନ୍ତି ପରାମର୍ଶ ଦେଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ପ୍ରାଣୀଧନ ବିଭାଗର ଉପ ନିର୍ଦ୍ଦେଶକ କେଶବ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଜିଲ୍ଲା ଡାଇଗ୍ନୋଷ୍ଟିକ୍ ଲାବ ଅଧିକାରୀ ଡ଼ା ଦେବାଶିଷ ଷଡ଼ଙ୍ଗୀ ଏବଂ ତାଙ୍କ ଟିମ୍ ଯାଇ ଘୁଷୁରୀଙ୍କ ନାଜାଲ୍ ସ୍ବାବ୍ ସଂଗ୍ରହ କରିଛନ୍ତି। ଖୁବ ଶୀଘ୍ର ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି ଜଣା ପଡିଛି। ମାଟିଆ ସାହି ବସ୍ତିରେ ଥିବା ଘୁଷୁରୀ ଗୁଡ଼ିକ ସନ୍ତ୍ରି ଅଞ୍ଚଳରୁ ଆସିଥିବା ଡ଼ା ପ୍ରଧାନ ପ୍ରକାଶ କରିଛନ୍ତି।