ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ “ଶିଶୁଙ୍କ ପାଇଁ ଦିନଟିଏ” ଓ ଜିଲ୍ଲା ଟାସ୍କ ଫୋର୍ସ ବୈଠକ ଆୟୋଜିତ

By Angul TV Bureau

September 30, 2023

ଅନୁଗୁଳ: ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଦ୍ୱାରା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଶିଶୁଙ୍କ ପାଇଁ ଦିନଟିଏ ଓ ଜିଲ୍ଲା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଛି। ଏ ଅବସରରେ ଜିଲ୍ଲା ପ୍ରଶାସନ ଦ୍ୱାରା ଗତ ତିନି ମାସ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରକାର ଶିଶୁ ସୁରକ୍ଷା କାର୍ଯ୍ୟକ୍ରମର ପ୍ରଗତି ବିଷୟରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ଶିଶୁଙ୍କୁ ପ୍ରଦାନ କରାଯାଉଥିବା ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ସେବା ଓ ଯତ୍ନ, ସହାୟତା, ପୋଷ୍ୟ ସନ୍ତାନ ଗ୍ରହଣ, ବିଜୁ ଶିଶୁ ସୁରକ୍ଷା ଯୋଜନା, ବେଟୀ ବଚାଓ ବେଟୀ ପଢାଓ ନିଶା ନିବାରଣ ଶିଶୁ ଶ୍ରମିକ ନିବାରଣ ପ୍ରଭୃତି କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକରେ ‘ଆକ୍ସନ ଏଡ’ର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା ଜିଲ୍ଲାରେ କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ନିରାକରଣ କାର୍ଯ୍ୟକ୍ରମର ସ୍ଥିତି ଉପସ୍ଥାପନ କରି ବାଲ୍ୟବିବାହ ନିରାକରଣ ଓ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରାଇବା କ୍ଷେତ୍ରରେ କରାଯାଇଥିବା ନିଷ୍ପତ୍ତି ଉପରେ ଆଲୋକପାତ କରିଥିଲେ। ଜିଲ୍ଲାରେ ଶିଶୁ ସୁରକ୍ଷା, କିଶୋରୀ ସଶକ୍ତି କରଣ ତଥା ବାଲ୍ୟ ବିବାହ ବନ୍ଦ କରିବା କାର୍ଯ୍ୟକ୍ରମକୁ ଏକ ଅଭିଯାନ ଭିତ୍ତିରେ ଆଗକୁ ଆଗେଇ ନେବା ପାଇଁ ନିଷ୍ପତ୍ତି ନିଆଗଲା ଓ ଏହି ଅଭିଯାନର ନାମ “ମୋ ଗାଁ ରେବତୀ” ରଖାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ସଖୀ – ୱାନ ଷ୍ଟପ ସେଣ୍ଟରର କେନ୍ଦ୍ରର ପରିଚାଳିକା ସୁଦୀପ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଅବକାରୀ ଅଧୀକ୍ଷକ, ଜିଲ୍ଲା ଶ୍ରମ ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଓ ସମସ୍ତ ସଭ୍ୟସଭ୍ୟା, ସମ୍ପାଦକ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସମନ୍ବିତ ଶିଶୁବିକାଶ ଅଧିକାରୀଙ୍କ ପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ।