ମୁଖ୍ୟ ଖବର

ଜିଲ୍ଲା ସ୍ତରୀୟ କର୍ମଶାଳା: ୨୦୩୦ ସୁଦ୍ଧା ଅନୁଗୋଳକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ବୃହତ ରଣନୀତି

By Angul TV Bureau

June 05, 2026

ଅନୁଗୋଳ : ୨୦୩୦ ମସିହା ସୁଦ୍ଧା ଅନୁଗୋଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ କରିବା ଲକ୍ଷ୍ୟରେ ଏକ ବୃହତ ରଣନୀତି ପ୍ରସ୍ତୁତ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ, ସମାଜ ମଙ୍ଗଳ ବିଭାଗ ଏବଂ ୟୁନିସେଫ୍ (UNICEF) ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ‘ବ୍ଲାକ୍ ଡାଇମଣ୍ଡ’ଠାରେ ଏକ ଜିଲ୍ଲା ସ୍ତରୀୟ ରଣନୀତିମୂଳକ କାର୍ଯ୍ୟଯୋଜନା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପ୍ରତ୍ୟେକ କିଶୋରୀଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ମଦନ ମୋହନ ପ୍ରଧାନ ‘ଅଦ୍ୱିକା’ ଯୋଜନା ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ କହିଥିବା ବେଳେ, ୟୁନିସେଫର ଶିଶୁ ସୁରକ୍ଷା ପରାମର୍ଶଦାତା ଘାସିରାମ ପଣ୍ଡା ବିଭିନ୍ନ ବିଭାଗର ଦାୟିତ୍ୱ ଓ ସମନ୍ୱୟ ରକ୍ଷା ଉପରେ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀଙ୍କ ସମେତ ସିଡିପିଓ, ପୋଲିସ, ଶିଶୁ ସୁରକ୍ଷା ଅଧିକାରୀ ଓ କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ। ଶେଷରେ ୟୁନିସେଫ୍ ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।