ମୁଖ୍ୟ ଖବର

ଶୈଳ ଶ୍ରୀକ୍ଷେତ୍ରରେ ହକି ବିଶ୍ବକପ୍ ଟ୍ରଫିକୁ ଭବ୍ୟ ସ୍ବାଗତ, ଯୋଗ ଦେଲେ ହଜାର ହଜାର ଲୋକ

By Biswaranjan Pattnaik

January 05, 2023

ଅନୁଗୁଳ: ଅନୁଗୁଳରେ ହକି ବିଶ୍ବ କପ୍ ଟ୍ରଫିକୁ ସ୍ବାଗତ କରିଛନ୍ତି ସହରବାସୀ । ଚଳିତ ମାସ ୧୩ ତାରିଖରୁ ପୁରୁଷ ବିଶ୍ବକପ୍ ହକି ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ ହେବ। ଏ ଅବସରରେ ଆଜି ଅପରାହ୍ନରେ ଶୈଳଶ୍ରୀକ୍ଷେତ୍ରଠାରେ ପୁରୁଷ ହକି ବିଶ୍ବ କପ୍ ଟ୍ରଫିକୁ ସମ୍ମାନ ଓ ଶ୍ରଦ୍ଧାର ସହିତ ସ୍ବାଗତ କରାଯାଇଛି । କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଯୋଗଦେଇ ଟ୍ରଫିକୁ ଭବ୍ୟ ସ୍ବାଗତ କରିଥିଲେ।

ଏହି ଉପଲକ୍ଷେ ବିଭିନ୍ନ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମମାନ ଉପସ୍ଥାପନ କରାଯାଇଥିଲା। ପରେ ଏହି ଟ୍ରଫି ସହର ପରିକ୍ରମା କରି କଦମ୍ ପଡିଆଠାରେ ପହଞ୍ଚିଥିଲା। ସେଠାରେ ମଧ୍ୟ ଟ୍ରଫିକୁ ଭବ୍ୟ ସ୍ବାଗତ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପରେ ଟ୍ରଫି ବଅଁରପାଳ ଅଭିମୁଖେ ଯାଇଥିଲା। ସେଠାରେ ବ୍ଲକ ପ୍ରଶାସନ ସ୍ବାଗତ କରିବା ସହ ଟ୍ରଫିକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ, ବୁଦ୍ଧିଜୀବୀ, ସ୍ଥାନୀୟ ଜନସାଧାରଣ, କ୍ରୀଡାବିତ୍, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।