ଅନୁଗୁଳ: ତାଳଚେର ପୌରାଞ୍ଚଳରେ ଇନ୍ଡୋର ଷ୍ଟାଡ଼ିୟମ ନିର୍ମାଣ ହେବ। ଜାତୀୟସ୍ତରର କ୍ରୀଡ଼ାବିତ୍ମାନଙ୍କୁ ନେଇ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କେ. ପାଣ୍ଡିଆନ୍ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ତାଳଚେର ପଞ୍ଚାୟତ ସମିତି ଓ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ଭିଡ଼ିଓ କନ୍ଫରେନ୍ସିଂ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କ୍ରୀଡ଼ାବିତ୍ମାନଙ୍କ ଅଭ୍ୟାସ ନିମନ୍ତେ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପ୍ରସ୍ତାବ କ୍ରମେ ୫-ଟି ସଚିବ ଶ୍ରୀ ପାଣ୍ଡି ଆନ୍ ପୌରାଞ୍ଚଳରେ ଏକ ନୂତନ ଇନ୍ଡୋର ଷ୍ଟାଡ଼ିୟମ୍ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ତଥା ଜାତୀୟ ସ୍ତରରେ ବହୁ ପ୍ରତିଭାବାନ କ୍ରୀଡ଼ାବିତ୍ ତାଳଚେରଠାରେ ରହିଥିଲା ବେଳେ ସେମାନଙ୍କ ଅଭ୍ୟାସ ପାଇଁ ଏହି ଷ୍ଟାଡ଼ିୟମ ବ୍ୟବହାର ହୋଇପାରିବ ବୋଲି ଶ୍ରୀ ପାଣ୍ଡିଆନ୍ ଆଶା ପ୍ରକାଶ କରିଥିଲେ। ଆସନ୍ତା ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ଅବଅସରରେ ଏହାକୁ ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ସଚିବ ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଛନ୍ତି। ଏହି ଭିଡ଼ିଓ କନ୍ଫରେନ୍ସିଂରେ ଆନ୍ତର୍ଜାତିକ ଭାରୋତ୍ତୋଳକ କୀର୍ତ୍ତନ ବେହେରା, ଜାତୀୟ ଭଲିବଲ୍ ରେଫ୍ ଶରତ ପାଣି, ଅନ୍ତର୍ଜାତୀୟ ଫୁଟବଲ ଖେଳାଳୀ ରଣଜିତ୍ ଟିଗା, ତାଳଚେର ରାଇଫଲ କ୍ଲବର ଶରତ ଚନ୍ଦ୍ର ଦେବ, ପାରା ଅଲମ୍ପିକ ବ୍ୟାଡମିଣ୍ଟନ ଖେଳାଳୀ ଅମରେନ୍ଦ୍ର ବେହେରାଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ।