ଅନୁଗୁଳ: ଅନୁଗୁଳ ପୁଲିସ ଅନୁଗୁଳର ଜଣେ ଡାକ୍ତରଙ୍କ ପୁଅକୁ ଭଲ ଅନୁଷ୍ଠାରେ ଡାକ୍ତରୀ ପିଜି ସିଟ କରାଇ ଦେବାକୁ କହି ଏକ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଜ୍ଞେ ଡା ଗୌରୀ ଶଙ୍କର ବଳଙ୍କଠାରୁ ତାଙ୍କ ପୁଅକୁ ଏକ ଭଲ ଅନୁଷ୍ଠାନରେ ଭଲ ବିଭାଗରେ ସ୍ନାତକତ୍ତୋର ପାଇଁ ନାମ ଲେଖାଇ ଦେବାକୁ କହି କେନ୍ଦ୍ରାପଡ଼ା ଜିଲ୍ଲା ମର୍ଶାଘାଇ ଥାନା ଅନ୍ତର୍ଗତ ଶିଲିପୁର ଗାଁର ହୀରକ କୁମାର ପରିଡ଼ା ୨୦୧୭ ମସିହାରୁ ବିଭିନ୍ନ ସମୟରେ ମୋଟ ଏକ କୋଟି ଟଙ୍କା ନେଇଥିଲେ। ତେବେ ଶ୍ରୀ ବଳଙ୍କ ପୁଅଙ୍କୁ କୋଣସିଠାରେ ନାମ ଲେଖାଇପାରିଲେ ନାହିଁ। ତେଣୁ ତାଙ୍କ ଟଙ୍କା ଫେରସ୍ତ ଦେବାକୁ ଶ୍ରୀ ବଳ ହୀରକଙ୍କୁ କହିଥିଲେ। କିନ୍ତୁ ହୀରକ ମାତ୍ର ୨ ଲକ୍ଷ ଟଙ୍କା ଫେରସ୍ତ ଦେଇଥିଲେ। ତେଣୁ ଏ ନେଇ ଶ୍ରୀ ବଳ ଅନୁଗୁଳ ଥାନାରେ ୨୦ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଶନିବାର ହୀରକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।