ମୁଖ୍ୟ ଖବର

ଡିଜିଟାଲ୍ ଅବତାରରେ ଆସୁଛି ୨୦୨୭ ଜନଗଣନା: ଅନୁଗୁଳରେ ପ୍ରାଶାସନିକ ପ୍ରସ୍ତୁତି ଜୋରଦାର, ନିର୍ଭୁଲ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

By Angul TV Bureau

February 07, 2026

ଅନୁଗୁଳ: ଆସନ୍ତା ୨୦୨୭ ସାଧାରଣ ଜନଗଣନାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଶୁକ୍ରବାର ସ୍ଥାନୀୟ ଜିଲ୍ଲା ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ତଥା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାପାଳ ତଥା ପ୍ରମୁଖ ଜିଲ୍ଲା ଜନଗଣନା ଅଧିକାରୀ ଅବଦାଲ୍ ମୁହମ୍ମଦ ଅଖତର୍ ଅଧ୍ୟକ୍ଷତା କରିଥିଲେ। ଜନଗଣନା କାର୍ଯ୍ୟକୁ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଦାୟିତ୍ୱ ଭାବେ ଗ୍ରହଣ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ନିର୍ଭୁଲ ତଥ୍ୟ ସଂଗ୍ରହ କରିବାକୁ ସେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଯେପରି ସଠିକ ତଥ୍ୟ ଅପଲୋଡ୍ କରିବେ, ସେଥିପ୍ରତି ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରତାପ ପ୍ରୀତିମୟ ଜନଗଣନାକୁ ଦେଶର ବିକାଶର ‘ଦର୍ପଣ’ ଭାବେ ଅଭିହିତ କରିଥିଲେ।

ଏହି ଜନଗଣନା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ମାଧ୍ୟମରେ ହେବ। ଏଥିପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଓ ପୋର୍ଟାଲ ବ୍ୟବହାର କରାଯିବ। ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ପବିତ୍ର କୁମାର ମହଲା ଓ ପରିସଂଖ୍ୟାନ ଅନୁସନ୍ଧାନକାରୀ ଦୀପକ କୁମାର ଉପସ୍ଥିତ ଅଧିକାରୀମାନଙ୍କୁ ଗୃହ ତାଲିକାକରଣ ଏବଂ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ସୂଚନା ମୁତାବକ, ଜନସାଧାରଣଙ୍କ ସୁବିଧା ପାଇଁ ଏପ୍ରିଲ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜସ୍ୱ ଗଣନା ବ୍ୟବସ୍ଥା ଉପଲବ୍ଧ ରହିବ, ଯେଉଁଠାରେ ନାଗରିକମାନେ ନିଜେ ନିଜର ତଥ୍ୟ ଅନଲାଇନରେ ପ୍ରଦାନ କରିପାରିବେ। ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ଆସନ୍ତା ଏପ୍ରିଲ ୧୬ ରୁ ଆରମ୍ଭ ହୋଇ ମେ ୧୫ ପର୍ଯ୍ୟନ୍ତ ଚାଲିବ।

କାର୍ଯ୍ୟକ୍ରମରେ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା, ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୋହା, ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ଏବଂ ପୌର ସଂସ୍ଥାର ନିର୍ବାହୀ ଅଧିକାରୀମାନେ ଯୋଗ ଦେଇଥିଲେ।