ମୁଖ୍ୟ ଖବର

ଅବହେଳାର ଅଘଟଣ: ଶୁଖିଲା ଗଛ ଭାଙ୍ଗି ପଡ଼ିବାରୁ ଜଣେ ଗୁରୁତର

By Angul TV Bureau

July 03, 2026

ଅନୁଗୋଳ: ପ୍ରଶାସନିକ ଅବହେଳା ଓ ବିଭାଗୀୟ ଫାଇଲ ଚାଷର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅନୁଗୋଳ ସହରରେ। ସିଂହ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ଥିବା ଏକ ବିଶାଳ ଶୁଖିଲା ବରଗଛର ଡାଳ ଭାଙ୍ଗି ଜଣେ ସ୍କୁଟର ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ମିଲଟନ ଦଳବେହେରା।

ଘଟଣାରୁ ପ୍ରକାଶ ଯେ, ବରଗଛଟି ଶୁଖିଯାଇ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଏହାକୁ କାଟିବା ପାଇଁ ମାର୍କେଟର ବ୍ୟବସାୟୀମାନେ ପ୍ରଥମେ ଗତ ଏପ୍ରିଲ ମାସରେ ପୌରପାଳିକାକୁ ଅବଗତ କରାଇଥିଲେ। ପୌରପାଳିକା ପକ୍ଷରୁ ଡିଏଫଓଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜ ଅଫିସର, ତହସିଲଦାର ଓ ଓଏଫଡିସି ମଧ୍ୟରେ ଯୁଗ୍ମ ଯାଞ୍ଚ ପାଇଁ ପତ୍ରାଳାପ ଚାଲିଲା। କିନ୍ତୁ କେବଳ ପୁଳା ପୁଳା ଚିଠି ଲେଖା ଓ ଫାଇଲ ଚାଷ ଭିତରେ ଦିନ ଗଡ଼ିଚାଲିଲା।

ଶେଷରେ ଆଜି ସେହି ବିପଦସଙ୍କୁଳ ଗଛର ଏକ ବଡ଼ ଡାଳ ଭାଙ୍ଗି ରାସ୍ତାରେ ପଡ଼ିବାରୁ ମିଲଟନ ଏହାର ଶିକାର ହୋଇଛନ୍ତି। ପ୍ରଶାସନିକ ଅଳସୁଆମି ଯୋଗୁଁ ଆଜି ଜଣେ ବ୍ୟକ୍ତି ଗୁରୁତର ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି।