ମୁଖ୍ୟ ଖବର

ଅନୁଗୁଳରେ ସଫେଇ କର୍ମଚାରୀଙ୍କୁ ନିଆରା ଅବସରକାଳୀନ ସମ୍ବର୍ଦ୍ଧନା

By Biswaranjan Pattnaik

September 30, 2025

ଅନୁଗୁଳ: ଅନୁଗୁଳ ପୌରପାଳିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ସଫେଇ କର୍ମଚାରୀଙ୍କୁ ନିଆରା ଢଙ୍ଗରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଦୀର୍ଘ ୩୧ ବର୍ଷର ନିଷ୍ଠାପର ସେବା ପରେ ସଫେଇ କର୍ମଚାରୀ ଲକ୍ଷ୍ମଣ ଗୋଚ୍ଛାୟତ ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ତାଙ୍କୁ ସମ୍ମାନ ଜଣାଇବା ପାଇଁ ପୌରପାଳିକା ପକ୍ଷରୁ ଏକ ଅଭୂତପୂର୍ବ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କିଛି ଦିନ ପୂର୍ବେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଲକ୍ଷ୍ମଣଙ୍କର ଉଦାସୀନ ମନୋଭାବ ଲକ୍ଷ୍ୟ କରିଥିଲେ। ପଚରାଉଚରା ପରେ ଲକ୍ଷ୍ମଣ ଜଣାଇଥିଲେ ଯେ, ତାଙ୍କର ଚାକିରୀର ଅନ୍ତିମ ଦିନ ଆସୁଛି ଏବଂ ଡିଏଲଆର କର୍ମଚାରୀ ଭାବେ ସେ ବିଶେଷ ସଞ୍ଚୟ କରିପାରି ନାହାନ୍ତି, ଯାହା ତାଙ୍କୁ ଚିନ୍ତାରେ ରଖିଛି। ଏହି କଥା ଅଧିକାରୀଙ୍କ ମନକୁ ଗଭୀର ଭାବେ ସ୍ପର୍ଶ କଲା। ଲକ୍ଷ୍ମଣଙ୍କର ସମୟାନୁବର୍ତିତା ଓ ପରିଶ୍ରମୀ ମନୋଭାବ ତାଙ୍କୁ ସମସ୍ତଙ୍କ ମଧ୍ୟରେ ଲୋକପ୍ରିୟ କରିଥିଲା। ରାତି ୩ଟାରୁ ଜିଲ୍ଲା କାର୍ଯ୍ୟାଳୟ, କୋର୍ଟ, କଲେଜ ଛକ ଆଦି ଅଞ୍ଚଳରେ ସେ ନିୟମିତ ସଫେଇ କାର୍ଯ୍ୟ କରୁଥିଲେ ଏବଂ କେବେ ତାଙ୍କ ନାଁରେ କୌଣସି ଅଭିଯୋଗ ଆସି ନଥିଲା।

ଲକ୍ଷ୍ମଣଙ୍କ ଅବସର ଦିନକୁ ସ୍ମରଣୀୟ କରିବା ପାଇଁ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଏକ ସ୍ଵତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ସକାଳେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣଙ୍କୁ ମାନପତ୍ର, ଟ୍ରଫି, ଉପଢୌକନ ସହିତ ବ୍ୟକ୍ତିଗତ ଭାବେ ୫,୦୦୦ ଟଙ୍କା ନଗଦ ପ୍ରଦାନ କରାଯାଇଥିଲା। ଏହା ସହିତ ଅବସର ପରେ ସୁବିଧା ଅନୁସାରେ ତାଙ୍କୁ ପୁନଃ ନିଯୁକ୍ତି ଦେବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି।

ସମ୍ବର୍ଦ୍ଧନା ଅବସରରେ ଲକ୍ଷ୍ମଣଙ୍କୁ ତାଙ୍କ ଇଚ୍ଛା ବିଷୟରେ ପଚରାଯିବାରୁ ସେ ଦୁର୍ଗା ମହାଷ୍ଟମୀରେ ସମସ୍ତ ଷ୍ଟାଫଙ୍କ ସହ ମିଶି ଖାଦ୍ୟ ଖାଇବାକୁ ଚାହୁଁଥିବା କହିଥିଲେ। ନିର୍ବାହୀ ଅଧିକାରୀ ତୁରନ୍ତ ଏହାର ବ୍ୟବସ୍ଥା କରି ନିଜ ଗାଡ଼ିରେ ଲକ୍ଷ୍ମଣଙ୍କୁ ସହରର ଏକ ପ୍ରଖ୍ୟାତ ତାରକା ହୋଟେଲକୁ ନେଇଥିଲେ। ହୋଟେଲରେ ପ୍ରବେଶ କରି ଲକ୍ଷ୍ମଣ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ। ହୋଟେଲ ମାଲିକ ମଧ୍ୟ ତାଙ୍କ ପସନ୍ଦର ଖାଦ୍ୟ ପଚାରି ସେବା ଯୋଗାଇଥିଲେ। ଲକ୍ଷ୍ମଣ ନିର୍ବାହୀ ଅଧିକାରୀଙ୍କ ସହ ଏକ ଟେବୁଲରେ ବସି ଖାଦ୍ୟ ଗ୍ରହଣ କରିଥିଲେ।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଲକ୍ଷ୍ମଣ କହିଥିଲେ, “ଆମ ଭଳି ଦଳିତ ଓ ମଳିମୁଣ୍ଡିଆ ଲୋକଙ୍କୁ ଏତେ ବଡ଼ ସମ୍ମାନ ମିଳିବ ବୋଲି ମୁଁ କେବେ ଭାବି ନଥିଲି। ଏହି ସମ୍ମାନ ମୁଁ ଜୀବନସାରା ମନେ ରଖିବି।” ଅନ୍ୟପକ୍ଷରେ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ କହିଥିଲେ, “ସହରର ସୁଇପର କଲୋନୀରେ ରହୁଥିବା ଲକ୍ଷ୍ମଣ ମୋର ସବୁଠାରୁ ପ୍ରିୟ କର୍ମଚାରୀ ଥିଲେ। ତାଙ୍କର ଅବସର ଖବର ଜାଣି ସେ ଉଦାସ ଥିବା ଦେଖି ମୁଁ ତାଙ୍କ ମନରେ ଖୁସି ଭରିବା ପାଇଁ ଏହି ନିଆରା ସମ୍ବର୍ଦ୍ଧନାର ଆୟୋଜନ କରିଥିଲି।”

ଏହି କାର୍ଯ୍ୟକ୍ରମରେ ଅନୁଗୁଳ ପୌରପାଳିକାର ଅଧିକାଂଶ କର୍ମଚାରୀଙ୍କ ସମେତ ଯୁବ ସ୍ବେଚ୍ଛାସେବୀ ପ୍ରତାପ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଲକ୍ଷ୍ମଣଙ୍କ ଏହି ଅଭିନବ ସମ୍ବର୍ଦ୍ଧନା ସହରବାସୀଙ୍କ ମଧ୍ୟରେ ଏକ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଛି ଏବଂ ଏହା ଆଜି ଅନୁଗୁଳରେ ଚର୍ଚ୍ଚାର ବିଷୟ ହୋଇଛି।