ପ୍ରତିଭା ଓ ବ୍ୟକ୍ତିତ୍ୱ

ଇଏ ବି ଜଗନ୍ନାଥଙ୍କ ସେବକ: ପେସାରେ ଡାକ୍ତର, ନିଶା ମହାପ୍ରଭୁଙ୍କ ପାଇଁ ଫୁଲ ଗୁନ୍ଥିବା

By Biswaranjan Pattnaik

June 29, 2025

ଅନୁଗୁଳ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ କିଏ ବା ନ ଚାହେ। ଯିଏ ଯେଉଁ ବୃତ୍ତିରେ ବି ଥାଉ ନା କାହିଁକି ବିଶ୍ୱନିଅନ୍ତାଙ୍କ ସେବାର ସୁଯୋଗକୁ କେହି ବି ହାତଛଡା କରିବାକୁ ଚାହେ ନାହିଁ। ସେମିତି ଜଣେ ନିଆରା ସେବକ ହେଉଛନ୍ତି ଡା ଦେବାଶିଷ ଷଡ଼ଙ୍ଗୀ। ଦେବାଶିଷ ବୃତ୍ତିରେ ଜଣେ ପ୍ରାଣୀ ବିଭାଗର ଡାକ୍ତର। କିନ୍ତୁ ନିଶା ହେଲା ଶ୍ରୀଜିଉଙ୍କ ପାଇଁ ଫୁଲ ଗୁନ୍ଥିବା। ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରରେ ସେ ନିରନ୍ତର ଏଭଳି ସେବା ଯୋଗାଇ ଆସୁଛନ୍ତି। ବର୍ଷତମାମ ସେ ଶ୍ରୀଜିଉମାନଙ୍କ ପାଇଁ ସଜ ଫୁଲର ଚମତ୍କାର ଅଳଙ୍କାର କରି ଲାଗି କରିଥାନ୍ତି।

ଡା ଷଡ଼ଙ୍ଗୀ କୁହନ୍ତି, ପୁରୀରେ ଥିଲା ବେଳେ ସେ ଏଭଳିଫୁଲ ଗୁନ୍ଥି ଶ୍ରୀଜିଉଙ୍କୁ ଲାଗି କରିଆସୁଥିଲେ। ଚାକିରି ଜୀବନରେ ଯୁଆଡେ ଯାଆନ୍ତି ସେଠାରେ ଥିବା ଜଗନ୍ନାଥ ମନ୍ଦିରରେ ସେ ଏଇ ସେବା ଯୋଗାଇ ଆସୁଥିବା କହିଛନ୍ତି ଶ୍ରୀ ଷଡ଼ଙ୍ଗୀ। ଗତ ଡିସେମ୍ବର ମାସରେ ଅନୁଗୁଳ ଆସିବା ପରେ ସେ ଏଠାରେ ସେବା କରି ଆସୁଛନ୍ତି। ଡା ଷଡ଼ଙ୍ଗୀ ଏହି କାମରେ ଆଉ ଆଠ ଦଶ ଜଣଙ୍କୁ ବି ସାମିଲ କରିଛନ୍ତି। ସେମାନଙ୍କୁ ଫୁଲର ଅଳଙ୍କାର କିଭଳି ଗୁନ୍ଥା ଯିବ ତାହା ତାଲିମ ଦେଇଛନ୍ତି। ଚଳିତ ରଥ ଯାତ୍ରା ସମୟରେ ଡ଼ା ଷଡ଼ଙ୍ଗୀ ଏବଂ ତାଙ୍କ ଟିମ୍ ଶ୍ରୀଜିଉଙ୍କ ପାଇଁ ଫୁଲର ଅଳଙ୍କାର ତିଆରି କରିଥିଲେ, ଯାହାକୁ ସମସ୍ତେ ପ୍ରଶଂସା କରିଛନ୍ତି।

ହିମାଂଶୁ ଶେଖର ସାହୁ, ବାପୁଜି ପ୍ରଧାନ, ଲିମା ପ୍ରଧାନ, ମହାପ୍ରସାଦ ନନ୍ଦ, ସ୍ୱାଗତିକା ସାମନ୍ତରାୟ, ସ୍ୱାତୀ ସାମଲ, ଅଭୟ ତ୍ରିପାଠୀ, ତ୍ରିନାଥ ସାହୁ, ପ୍ରିୟାନଶୁ ପାଣି, ହାପି ପ୍ରଧାନ ଓ କୌଶଲ୍ୟା ଦାସ ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ଅଛନ୍ତି।