ମୁଖ୍ୟ ଖବର

ନିଜ ଘରେ ହିଁ ସବୁଠୁ ଅସୁରକ୍ଷିତ ମହିଳା: ଜାତିସଂଘ ରିପୋର୍ଟ କଲା ସାଂଘାତିକ ଖୁଲାସା

By Angul TV Bureau

November 26, 2024

ନୂଆଦିଲ୍ଲୀ: ସବୁଠୁ ସୁରକ୍ଷିତ ଜାଗା କୁହାଯାଉଥିବା ନିଜ ଘର ହେଉଛି ମହିଳାଙ୍କ ପାଇଁ ସବୁଠୁ ବିପଜ୍ଜନକ ସ୍ଥାନ। ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ ଅବସରରେ ଜାତିସଂଘ ମହିଳା ଏବଂ ଜାତିସଂଘ ଡ୍ରଗ୍ସ ଆଣ୍ଡ୍ କ୍ରାଇମ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ସାଂଘାତିକ ଖୁଲାସା ହୋଇଛି। ୨୦୨୩ ମସିହାରେ ବିଶ୍ବରେ ୫୧,୧୦୦ ଜଣ ମହିଳା ଓ ଝିଅଙ୍କୁ ହତ୍ୟା କରାଯାଇଛି। ୨୦୨୨ ମସିହା ତୁଳନାରେ ଏଥିରେ ବୃଦ୍ଧି ଘଟିଥିବା ଜଣାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ବିଶ୍ବର ସବୁ ଅଞ୍ଚଳରେ ମହିଳା ଓ ଝିଅମାନେ ଏଭଳି ଲିଙ୍ଗଗତ ହିଂସାର ସମ୍ମୁଖୀନ ହେଉଛନ୍ତି। ଆଫ୍ରିକା ମହାଦେଶରେ ମହିଳା ହିଂସାର ମାତ୍ରା ସବୁଠୁ ଅଧିକ ରହିଛି। ୨୦୨୩ରେ ସେଠାରେ ୨୧,୭୦୦ ମହିଳା ଓ ଝିଅଙ୍କୁ ଘର ଭିତରେ ହତ୍ୟା କରାଯାଇଛି। ଆଫ୍ରିକାର ଜନସଂଖ୍ୟା ତୁଳନାରେ ଏହି ହତ୍ୟା ଅନୁପାତ ଅଧିକ ରହିଛି। ଆଫ୍ରିକାରେ ପ୍ରତି ୧ ଲକ୍ଷ ଲୋକରେ ୨.୯ ମହିଳା ଓ ଝିଅଙ୍କୁ ଘର ଭିତରେ ହତ୍ୟା କରାଯାଇଛି। ଆମେରିକାରେ ଏହି ଅନୁପାତ ପ୍ରତି ୧ ଲକ୍ଷରେ ୧.୬ ରହିଛି।

ଅନ୍ୟପକ୍ଷରେ ଏସିଆ ଓ ୟୁରୋପରେ ଏହି ହାର କମ୍‌ ରହିଛି। ଏସିଆରେ ପ୍ରତି ୧ ଲକ୍ଷ ଲୋକରେ ୦.୮ ଏବଂ ୟୁରୋପରେ ପ୍ରତି ୧ ଲକ୍ଷ ଲୋକରେ ୦.୬ ଜଣ ଲୋକ ହତ୍ୟାର ଶିକାର ହେଉଛନ୍ତି। କିନ୍ତୁ ପୁରୁଷଙ୍କ କ୍ଷେତ୍ରରେ ଅଧିକାଂଶ ହତ୍ୟା ଘର ବାହାରେ ହେଉଛି।

ମହିଳାମାନଙ୍କ ହତ୍ୟା ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ଏହା ଉଦ୍‌ବେଗଜନକ ସ୍ତରରେ ରହିଛି। ଘରୋଇ ହିଂସା ରୋକିବା ପାଇଁ ଠିକ୍‌ ସମୟରେ ଉପଯୁକ୍ତ ପଦକ୍ଷେପ ନେବାକୁ ଜାତିସଂଘ ପକ୍ଷରୁ ପରାମର୍ଶ ଦିଆଯାଇଥିବା ଜଣାଯାଇଛି।