ଅନ୍ୟାନ୍ୟ

କାମ କରିବାକୁ ଅନୁଗୁଳ ଆସି କେନ୍ଦ୍ରାପଡ଼ାର ଯୁବକ ନିଖୋଜ, ଖୋଜୁଛନ୍ତି ପରିବାର ଲୋକ

By Angul TV Bureau

January 21, 2025

ଅନୁଗୁଳ: ଅନୁଗୁଳକୁ କାମ କରିବାକୁ ଆସି କେନ୍ଦ୍ରାପଡାର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟକ୍ତି ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ବରାଜିଲୋ ଗାଁର କେଶବ ମଲ୍ଲିକ (୩୨)।

ସୂଚନା ମୁତାବକ, ଗତ ୫ ତାରିଖରେ କେଶବ ମଲ୍ଲିକ ନିଜ ଅଞ୍ଚଳର ଜଣେ ଠିକାଦାରଙ୍କ ଜରିଆରେ ପାଇଲିଂ କାମ କରିବାକୁ ଅନୁଗୁଳ ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପରଙ୍ଗ ଅଞ୍ଚଳକୁ ଆସିଥିଲେ। ଗତ ୧୨ ତାରିଖ ଦିନ କେଶବ କେଉଁଆଡ଼େ ଚାଲିଯାଇଥିବା ନେଇ ଅନ୍ୟ ଶ୍ରମିକମାନେ ତାଙ୍କ ଘରେ ଜଣାଇଥିଲେ। ଖବର ପାଇ ତାଙ୍କ ଦୁଇ ଭାଇ ପରଙ୍ଗ ଆସି ଭାଇ ନିଖୋଜ ଥିବା ନେଇ ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ।

ତେବେ ତଦନ୍ତ ବେଳେ କେଶବ ୧୨ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଛେଣ୍ଡିପଦାରୁ ଅନୁଗୁଳ ଅଭିମୁଖେ ଏକ ବସରେ ଚଢ଼ିଥିବା ନେଇ ପରଙ୍ଗ ଅଞ୍ଚଳରେ ଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ବ୍ୟବହୃତ ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଥିଲେ। ପରେ ବସର କର୍ମଚାରୀଙ୍କୁ ପଚାରିଥିଲେ ମଧ୍ୟ କେଶବ କେଉଁଠାରେ ଓହ୍ଲାଇଥିଲେ କର୍ମଚାରୀମାନେ କହି ପାରିନଥିଲେ। ତେବେ ପରିବାର ଲୋକ ପୋଲିସ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଭେଟି କେଶବଙ୍କୁ ଖୋଜି ଆଣିବାକୁ ନିବେଦନ କରିଥିବା ଜଣାଯାଇଛି।