ମୁଖ୍ୟ ଖବର

ବାଘୁଆପାଟରେ ନାହିଁ ବିଦ୍ୟୁତ ସଂଯୋଗ, ଆଜି ବି ଡିବିରି ଏବଂ ଲଣ୍ଠନ ଆଲୁଅ ପାଲଟିଛି ଭରସା

By Angul TV Bureau

April 08, 2024

ଅନୁଗୁଳ : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନ୍ଧାରରେ ଦିନ କାଟୁଛନ୍ତି ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତ ବାଘୁଆପାଟ ଗାଁର ଲୋକେ। ଏହି ଗାଁରେ ବିଦ୍ୟୁତ୍ ଖୁଣ୍ଟ ପୋତା ହୋଇଛି। ତାର ବି ଟଣାଯାଇଛି। ଟ୍ରାନ୍ସଫର୍ମର ମଧ୍ୟ ଲଗା ଯାଇଛି। ସମସ୍ତ ଘରେ ମିଟର ବି ଲଗା ଯାଇଛି। କିନ୍ତୁ ସେଥିରେ ବିଦ୍ୟୁତ୍ ସଂଯୋଗ ହୋଇ ନାହିଁ। ଫଳରେ ଆଜି ବି ଡିବିରି ଏବଂ ଲଣ୍ଠନ ଆଲୁଅକୁ ଏହି ଗାଁର ଲୋକେ ଭରସା କରି ଦିନ କାଟୁଛନ୍ତି। ଗାଁରେ ବିଦ୍ୟୁତ୍ ସଂଯୋଗ ଦେବାକୁ ବନବିଭାଗର କ୍ଲିଅରାନ୍ସ ନଥିବା ବିଦ୍ୟୁତ୍ ସଂଯୋଗ ଦିଆଯାଇନଥିବା ଜଣାଯାଇଛି।

ସୂଚନା ମୁତାବକ, ବଣଜଙ୍ଗଲ ଘେରା ବାଘୁଆପାଟ ଗାଁରେ ୩୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ଜଙ୍ଗଲ ଭିତରେ ଥିବା ଏହି ଗାଁକୁ ସବୁବେଳେ ଜଙ୍ଗଲୀ ଜନ୍ତୁଙ୍କ ଭୟ ରହୁଥିବାରୁ ଏଠାକୁ ପୂର୍ବରୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ‘ସୌଭାଗ୍ୟ’ ଯୋଜନାରେ ସରକାରଙ୍କ ପକ୍ଷରୁ ଗାଁରେ ବିଦ୍ୟୁତ୍ ଖୁଣ୍ଟ ପୋତି ବିଦ୍ୟୁତ୍ ଯୋଗାଣ ହୋଇଥିଲା। କିନ୍ତୁ ଖୋଲା ତାରରେ ବନ୍ୟଜନ୍ତୁଙ୍କ ଶିକାର ଆଶଙ୍କା କରି ଏଥିରେ ପ୍ରତିବନ୍ଧକ ଲଗାଇଥିଲା ବନବିଭାଗ। ଫଳରେ ବିଦ୍ୟୁତ୍ ବିଭାଗ ସଂଯୋଗ କାଟି ଦେଇଥିବା ଜଣାପଡ଼ିଛି।

ଇତିମଧ୍ୟରେ ୫ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ବନବିଭାଗ କ୍ଲିଅରାନ୍ସ ଦେଉନ ଥିବାରୁ ଗାଁ ଲୋକେ ବିଜୁଳି ଆଲୁଅ ପାଇ ପାରୁନାହାନ୍ତି। ବିଜୁଳି ଆଲୁଅ ପାଇଁ ବାରମ୍ବାର ଅନୁରୋଧ କରିବା ପରେ ବି କେହି ଶୁଣୁ ନଥିବା ଗାଁ ଲୋକେ କହିଛନ୍ତି।

ଅନ୍ୟପଟେ ଗ୍ରାମରେ କିଛି ଜାଗାରେ ସୋଲାର ଲାଇଟ୍ ମଧ୍ୟ ଲାଗିଛି। କିନ୍ତୁ ତାହା ବି ଅଚଳ ଅବସ୍ଥାରେ ରହିଛି। ଫସଲ ଲଗାଇଲେ ହାତୀ ଏବଂ ବନ୍ୟଜନ୍ତୁ ଆସି ନଷ୍ଟ କରି ଦେଉଛନ୍ତି, ଫଳରେ ଗାଁ ଲୋକେ ହଇରାଣ ହେଉଛନ୍ତି।

ଏ ସମ୍ପର୍କରେ ବନ୍ତଳା ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ମାଧବ ସାହୁଙ୍କୁ ପଚାରିବାରୁ, ବନବିଭାଗର କ୍ଲିଅରାନ୍ସ ନଥିବା ଯୋଗୁଁ ବିଦ୍ୟୁତ୍ ସଂଯୋଗ ଦେଇ ହେଉ ନଥିବା କହିଛନ୍ତି। ବନବିଭାଗ ଅନୁମତି ଦେଲେ ବିଦ୍ୟୁତ୍ ସଂଯୋଗ ଦେବାରେ ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।

ସେହିଭଳି ଅନୁଗୁଳ ଡିଏଫଓ କହିଛନ୍ତି, ଏ ଘଟଣା ବିଷୟରେ ଏକଜିକ୍ୟୁଟିଭ ଅଫିସରଙ୍କ ସହିତ ଆଲୋଚନା କରିବୁ। କେଉଁ ଭଳି ଭାବେ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ହେବ ସେ ବିଷୟରେ ଆଲୋଚନା କରିବୁ ବୋଲି କହିଛନ୍ତି।