ମୁଖ୍ୟ ଖବର

ଓରମାସ ତରଫରୁ ଆମ ଗାଁ ଆମ୍ବ ପସରାର ପ୍ରଦର୍ଶନୀ ଆରମ୍ଭ

By Angul TV Bureau

June 02, 2023

ଅନୁଗୁଳ: ଓରମାସ ତରଫରୁ ଆମ ଗାଁ ଆମ୍ବ ପସରାର ପ୍ରଦର୍ଶନୀ ଆରମ୍ଭ ହୋଇଛି। ସ୍ଥାନୀୟ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ଉତ୍ସବରେ ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଭୋଳ, କୃଷି ଉତ୍ପାଦନ କେନ୍ଦ୍ରର ଜିଲ୍ଲା ସଂଯୋଜକ ଆଶିଷ କୁମାର ରଥ, ଅନୁଗୁଳ ଓରମାସର ସହକାରୀ କାର୍ଯ୍ୟନିର୍ବାହୀ ଶିବାଶିଷ ମିଶ୍ର, ୟଙ୍ଗ ପ୍ରଫେସନାଲ ଅନୁଭୂତି ତ୍ରିପାଠୀଙ୍କ ସମେତ ଜିଲ୍ଲାର ପ୍ରତ୍ୟେକ ଉପଖଣ୍ଡ ଓ ବ୍ଲକରୁ ଆସିଥିବା କୃଷକ ଏବଂ ବିକ୍ରେତାମାନେ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀରେ ମୋଟ ୮ ଗୋଟି ଉତ୍ପାଦକ ଗୋଷ୍ଠୀଙ୍କ ଦ୍ବାରା ୨୦ ପ୍ରକାରରୁ ଅଧିକ ପ୍ରଜାତିର ଆମ୍ବ ପ୍ରଦର୍ଶିତ ହୋଇଛି। ଅନୁଗୁଳ ଜିଲ୍ଲାରୁ ମା’ ତାରିଣୀ ଉତ୍ପାଦକ ଦଳ, ମା’ ହିଙ୍ଗୁଳା, ନାରିଶକ୍ତି, ଆଠମଲ୍ଲିକ ଉତ୍ପାଦକ ଦଳ, ମା’ ବାଟ ବାୟାଣୀ ସ୍ବୟଂ ସହାୟକ ଦଳ, ଅଗ୍ରଣୀ ସ୍ବେଛାସେବୀ ସଂଗଠନ(ଏଫ୍ ଈ ଏସ୍) ତଥା ଅନୁଗୁଳ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆନୁକୂଲ୍ୟରେ କୃଷି ଉତ୍ପାଦକ କ୍ଲଷ୍ଟର ( ଏପିସି) ପ୍ରକଳ୍ପ ଏଥିରେ ଭାଗ ନେଇଛନ୍ତି।

ସେହିପରି ଢେଙ୍କାନାଳ ଜିଲ୍ଲାରୁ ଶିବଶମ୍ଭୁ ଉତ୍ପାଦକ ଦଳ ଓ ଓଁ ନମଃ ଶିବାୟ ସ୍ବୟଂ ସହାୟକ ଦଳ ଆମ୍ବରୁ ପ୍ରସ୍ତୁତ ଜୁସ୍, ଆଚାର, ଆମ୍ବୁଲ, ଆମସଢା ଇତ୍ୟାଦି ବିକ୍ରୟ କରୁଛନ୍ତି।

ଏହି ପ୍ରଦର୍ଶନୀ ଆସନ୍ତା ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓରମାସର କର୍ମକର୍ତ୍ତା ଜଣାଇଛନ୍ତି ।