ମୁଖ୍ୟ ଖବର

ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ ଆରୋଗ୍ୟ ସେତୁ 2.0, ଡିଜିଟାଲ ହେବ ସ୍ୱାସ୍ଥ୍ୟସେବା: ଆସିବ ମୁଖ୍ୟମନ୍ତ୍ରୀ କ୍ୟାନ୍ସର ଆରୋଗ୍ୟ ଯୋଜନା, ରହିବ ୧୨୧ ପ୍ୟାକେଜ

By Angul TV Bureau

July 18, 2026

ଭୁବନେଶ୍ୱର: ଦେଶର ସ୍ୱାସ୍ଥ୍ୟସେବାକୁ ସମ୍ପୂର୍ଣ୍ଣ ଡିଜିଟାଲ ଓ ଆଧୁନିକ କରିବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ୨୯ ଜୁନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଦେଶବ୍ୟାପୀ ଭାବେ ଆରୋଗ୍ୟ ସେତୁ 2.0 ସହ ଏକାଧିକ ନୂତନ ଡିଜିଟାଲ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ କରିଛନ୍ତି। ଖୁବଶୀଘ୍ର ରାଜ୍ୟରେ ମଧ୍ୟ ଏହାର ଉଦଘାଟନ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ଆରୋଗ୍ୟ 2.0 ଆପ୍‌ ରେ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ମେଡିକାଲ ସହ ନର୍ସିଂ ହୋମ୍ କୁ ଯୋଡା ଯିବ। ଏହା ସହ ମେଡିସିନ୍ ଦୋକାନ ଓ ବ୍ଲଡ ବ୍ୟାଙ୍କକୁ ମଧ୍ୟ ଏଥିରେ ସାମିଲ କରାଯିବ।ମନ୍ତ୍ରୀ କହିଛନ୍ତି ଯେ, ଏବେ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ସାରିଥିବା ବେଳେ ଏହାକୁ ଆଭା ଆଇଡି ସହ ଲିଙ୍କ କରାଯିବ। ଏଥିରେ ସ୍କାନ କରି ରିପୋର୍ଟକୁ ଡିଜି ଲକର୍ ରେ ରଖି ହେବ। AI ମୋଡ୍ ରେ ଏଥିରେ ରୋଗୀର ସମସ୍ତ ତଥ୍ୟ ରହିବ।

ସେହିପରି ମୁଖ୍ୟମନ୍ତ୍ରୀ କ୍ୟାନ୍ସର ଆରୋଗ୍ୟ ଯୋଜନା ଖୁବଶୀଘ୍ର ଶୁଭାରମ୍ଭ ହେବ। ଚଳିତ ବର୍ଷ ବଜେଟରେ ଏନେଇ ଘୋଷଣା କରାଯାଇସାରିଛି। ୧୨୧ ପ୍ରକାର ପ୍ୟାକେଜକୁ ଏଥିରେ ଯୋଡ଼ା ଯିବ। ରାଜ୍ୟ ସରକାର ନିଜସ୍ୱ ବଜେଟରୁ ଏହାର ଖର୍ଚ୍ଚ ବହନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସରକାରଙ୍କ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଦେଶର ପ୍ରତ୍ୟେକ ନାଗରିକଙ୍କୁ ସହଜ, ସ୍ୱଚ୍ଛ ଓ ସୁରକ୍ଷିତ ଚିକିତ୍ସା ସେବା ଉପଲବ୍ଧ କରାଇବା। ବିଶେଷକରି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ଲୋକମାନଙ୍କ ପାଇଁ ଏହି ଡିଜିଟାଲ ବ୍ୟବସ୍ଥା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ।