ମୁଖ୍ୟ ଖବର

ଜିଲ୍ଲାର ସବୁ ବ୍ଲକ୍ ଘେରିବ ବିଜେପି

By Angul TV Bureau

July 07, 2021

ଅନୁଗୁଳ: ପ୍ରଧାନମନ୍ତ୍ରୀ ଆବାସରେ ଅନିୟମିତତା ନେଇ ଜିଲ୍ଲାର ସବୁ ବ୍ଲକ୍‌ ଘେରିବ ବିଜେପି। ମଙ୍ଗଳବାର ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ରଣହୁଙ୍ଗାର ଦେଇଛନ୍ତି ବିଜେପି କର୍ମକର୍ତା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଗୁରୁତର ଅଭିଯୋଗ ଉଠାଇଛନ୍ତି ପ୍ରାକ୍ତନ ସାଂସଦ ତଥା ବିଜେପିର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି । ପ୍ରିୟାପ୍ରୀତି ତୋଷଣ, ଦଳୀୟ ଆଧାରରେ ଘର ବାଣ୍ଟିବା ସହ ପ୍ରକୃତ ଗରିବ ଲୋକ ଘର ପାଉନାହାନ୍ତି ଏହାର ପ୍ରତିବାଦରେ ବିଜେପି ଅନୁଗୁଳ ଜିଲ୍ଲାର ଆଠଟି ଯାକ ବ୍ଲକରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପଭି ନେଇଛି। ତାଳଚେର ଓ କିଶୋରନଗରରେ ୭ ତାରିଖ, ଅନୁଗୁଳ, ବଅଁରପାଳ, କଣିହାଁ ଓ ଆଠମଲ୍ଲିକରେ ୮ ତାରିଖ, ପାଲଲହଡ଼ା ଓ ଛେଣ୍ଡିପଦା ବ୍ଳକ୍‌ରେ ୯ ତାରିଖରେ ଘେରାଉ କରାଯିବା ନେଇ ସୂଚନା ଦିଆଯାଇଛି। ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଅଗସ୍ତ ବେହେରା, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ମଞ୍ଚାସୀନ ଥିବା ବେଳେ ଜିଲ୍ଲା ମିଡିଆସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଏହାକୁ ସଂଯୋଜନା କରିଥିଲେ। ମିଡିଆସେଲ ସହ-ସଂଯୋଜକ ସମୀର ପରିଡା, ଜିଲ୍ଲା ଉପସଭାପତି ସୁଜାତା ଦାସ, ସମ୍ପାଦକ ନମିତା ଦଳବେହେରା, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଚନ୍ଦ୍ରକାନ୍ତ ଧଳ, ସରପଞ୍ଚ ମିଲାପ ପ୍ରଧାନ, ବ୍ରଜମୋହନ ପରିଡ଼ା, ହେମନ୍ତ ସାହୁ, ଅଜୟ ବେହେରା, ଚିତ୍ତରଞ୍ଜନ ସାମଲ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।