ମୁଖ୍ୟ ଖବର

ଆବାସ ଟଙ୍କା ହଡ଼ପ ଅଭିଯୋଗ

By Angul TV Bureau

September 07, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ନମପଶି ପଂଚାୟତର କଂଟାନାଳି ଓ ନମଗାଁର ଲୋକମାନେ ସୋମବାର ପାଳଳହଡା ଉପଜିଲ୍ଲାପାଳ ଅଜିତ ପ୍ରଧାନଙ୍କୁ ଭେଟି ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସମିତି ସଭ୍ୟ ଆବାସ ଟଙ୍କା ହଡପ କରିବା ସହ ମନରେଗା ଯୋଜନାରେ ଶ୍ରମିକଙ୍କ ପାଉଣା ଦେଇନଥିବା ଗ୍ରାମବାସୀ କହିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ୨୦୧୪ ମସିହାରେ ତୁରମ ହେସା ଆବାସ ଯୋଜନାରେ ଘର ପାଇଥିଲେ। ତାଙ୍କ ଘର କରିବାକୁ କହି ବର୍ତ୍ତମାନର ସମିତି ସଭ୍ୟ ଶ୍ରୀ ସାହୁ ୩୫ ହଜାର ଟଙ୍କା ତାଙ୍କଠାରୁ ନେଇଥିଲେ। କିନ୍ତୁ ଘର କରିନାହାନ୍ତି ବୋଲି ତୁରମ ଅଭିଯୋଗ କରିଥିଲେ। ସେହିପରି ସୁନାରାମ ସୋରେନଙ୍କ ଘର ମଧ୍ୟ ଅଧାରେ ଅଟକି ଯାଇଛି । ଏହାଛଡ଼ା ୨୦୧୯ ରେ କଂଟାନାଳୀ ଗ୍ରାମର ପାଖାପାଖି ୧୫ ଜଣ ଶ୍ରମିକ ଶ୍ରୀ ସାହୁଙ୍କ ନାମରେ ଆସିଥିବା କେନାଲ କାମକୁ ମନରେଗା ଯୋଜନାରେ କରିଥିଲେ। କିନ୍ତୁ ଏହି ଶ୍ରମିକମାନଙ୍କର ମଜୁରି ଏ ପର୍ଯ୍ୟନ୍ତ ମିଳିନାହିଁ। ଏପରିକି ଏଥିରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏଥିନେଇ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଅଭିଯୋଗ ଗ୍ରହଣ କରି ଏହାର ତଦନ୍ତ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।