ଅନୁଗୋଳ: ଅନୁଗୋଳ ସହରର ପୁରୁଣା ବସ୍ଷ୍ଟାଣ୍ଡ ନିକଟରୁ ଅପହୃତ ଜଣେ ଯୁବତୀଙ୍କୁ ମଧ୍ୟପ୍ରଦେଶର ସାଗର ଅଞ୍ଚଳରୁ ପୁଲିସ ଉଦ୍ଧାର କରିଛି। ଅପହରଣର ୭୨ ଘଣ୍ଟା ମଧ୍ୟରେ ଯୁବତୀଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ପୁଲିସ ଗିରଫ କରିଛି।ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୮ ତାରିଖ ରାତି ପ୍ରାୟ ସାଢ଼େ ୮ଟା ସମୟରେ ଯୁବତୀଙ୍କ ବାପା ଆନନ୍ଦ ନାଏକ ଅନୁଗୋଳ ଥାନାରେ ଅଭିଯୋଗ କରିଥିଲେ। ବର୍ଷା ଯୋଗୁଁ ତାଙ୍କ ଝିଅ ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଅଟକିଥିବା ବେଳେ କେହି ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ପରେ ଅନୁଗୋଳ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଟୁନା ମୁଖୀ ଓ ତାଙ୍କ ସ୍ତ୍ରୀ ଟୁନି ଯୁବତୀଙ୍କୁ ଅପହରଣ କରି ଟ୍ରେନ୍ ଯୋଗେ ମଧ୍ୟପ୍ରଦେଶର ସାଗର ଅଞ୍ଚଳକୁ ନେଇଥିବା ପୁଲିସ ଜାଣିବାକୁ ପାଇଥିଲା। ସେଠାରେ ଯୁବତୀଙ୍କୁ ସନ୍ଧ୍ୟା ସେନଙ୍କ ଘରେ ରଖାଯାଇଥିଲା।ପୁଲିସର ଅଭିଯୋଗ ଅନୁସାରେ, ସନ୍ଧ୍ୟା ସେନ ଯୁବତୀଙ୍କୁ ମାଡ଼ ମାରିବା ପରେ ସୁରେଶ ଆରିହାରଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରିଥିଲେ।
ଅନୁଗୋଳ ଏସ୍ପି ରାହୁଲ ଜୈନଙ୍କ ନିର୍ଦ୍ଦେଶ ଏବଂ ଡିଏସ୍ପି ଯୋଗେଶ୍ୱରୀ ବେହେରାଙ୍କ ସହଯୋଗରେ ଏସ୍ଆଇ ଆଦିତ୍ୟ ପଟ୍ଟନାୟକଙ୍କ ନେତୃତ୍ୱରେ ପୁଲିସ ଟିମ୍ ସାଗର ଯାଇ ସ୍ଥାନୀୟ ପୁଲିସର ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ସନ୍ଧ୍ୟା ସେନ ଓ ସୁରେଶ ଆରିହାରଙ୍କୁ ସେଠାରୁ ଗିରଫ କରାଯାଇଥିଲା।
ଅନ୍ୟପକ୍ଷରେ, ପୁଲିସର ଆଉ ଏକ ଟିମ୍ ସୌଭାଗ୍ୟନଗରରେ ଚଢ଼ଉ କରି ଟୁନା ମୁଖୀ ଓ ତାଙ୍କ ସ୍ତ୍ରୀ ଟୁନିଙ୍କୁ ଗିରଫ କରିଥିଲା।