ମୁଖ୍ୟ ଖବର

ନାଲ୍‌କୋର ନୂତନ ନିର୍ଦ୍ଦେଶକ ଭାବେ ଅଭୟଙ୍କ ଦାୟିତ୍ବ ଗ୍ରହଣ

By Angul TV Bureau

June 12, 2025

ଅନୁଗୁଳ: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ କମ୍ପାନୀ ନାଲକୋର ନୂତନ ନିର୍ଦ୍ଦେଶକ (ଅର୍ଥ) ଭାବେbବୁଧବାର ଅଭୟ କୁମାର ବେହୁରିଆ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ବେହୁରିଆ ଆର୍‌ଏସ୍‌ପିରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅର୍ଥ ଏବଂ ଆକାଉଣ୍ଟସ୍) ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଦକ୍ଷତା ଏବଂ ନେତୃତ୍ଵ ବଳରେ କମ୍ପାନୀ ଏକ ଚ୍ୟାଲେଞ୍ଜି ବଜାର ପରିସ୍ଥିତି ମଧ୍ୟରେ ରେକର୍ଡ ଆର୍ଥିକ ଫଳାଫଳ ହାସଲ କରିଥିଲା। ଆର୍ଥିକ ପରିଚାଳନା, ରଣନୈତିକ ଯୋଜନା ଏବଂ ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ବେହୁରିଆଙ୍କର ୩ ଦଶନ୍ଧିରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି। ସେ ଉତ୍କଳ ବିଶବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକରେ ଡିଗ୍ରୀ ହାସଲ କରିଛନ୍ତି।

ସେ ମଧ୍ୟ ଭାରତୀୟ କଷ୍ଟ ଆକାଉଣ୍ଟାଣ୍ଟ୍‌ସ୍ ପ୍ରତିଷ୍ଠାନ (ଆଇସିଏଆଇ)ର ଜଣେ ଫେଲୋ ସଦସ୍ୟ ସହ ସଂସ୍ଥାର ଆଡଭାନ୍ସଡ୍ ଷ୍ଟୁଡିଜ୍ ଆଣ୍ଡ୍ ରିସର୍ଚ୍ଚ ବୋର୍ଡରୁ ବ୍ୟବସାୟ ମୂଲ୍ୟାଙ୍କନରେ ମଧ୍ୟ ଏକଜିକ୍ୟୁଟିଭ୍ ଡିପ୍ଲୋମା ହାସଲ କରିଛନ୍ତି। ନାଲ୍‌କୋରେ ଦାୟିତ୍ଵ ଗ୍ରହଣ କରିବା ପରେ ବେହୁରିଆଙ୍କୁ ଅଭିନନ୍ଦନ ଜଣାଇ ନାଲକୋ ସିଏମଡି ବ୍ରଜେନ୍ଦ୍ର ପ୍ରତାପ ସିଂହ କହିଲେ ଯେ, ଆର୍ଥିକ ପରିଚାଳନା, ରଣନୈତିକ ଯୋଜନା ଏବଂ ଡିଜିଟାଲ ରୂପାନ୍ତରଣରେ ତାଙ୍କର ବ୍ୟାପକ ଅଭିଜ୍ଞତା ନାଲକୋର ବିଭିନ୍ନ ପ୍ରକଳ୍ପ ଏବଂ ପରିଚାଳନା ପଦକ୍ଷେପଗୁଡ଼ିକ ନିମନ୍ତେ ସହାୟତା ପ୍ରଦାନ କରିବ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଏବଂ ନବସୃଜନ ଆଣିବ। ନିର୍ଦ୍ଦେଶକ।(ଅର୍ଥ) ଭାବେ ତାଙ୍କ ଯୋଗଦାନ ନାଲକୋ ବୋର୍ଡକୁ ଆହୁରି ଦୃଢ଼ୀଭୂତ କରିବ ବୋଲି ସେ ଆଶାବ୍ୟକ୍ତି କରିଛନ୍ତି ।