ଅନୁଗୋଳ: ଅନୁଗୋଳ ସଦର ଥାନା ପୋଲିସ ଏକ ଚର୍ଚ୍ଚିତ ପୋକ୍ସୋ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଅନୁଗୋଳ ହେମସୁରାପଡ଼ାର ବାଦଲ ଓରଫ ଧ୍ୟାନଚନ୍ଦ ନାଏକ (୨୮)।
୨୦୨୧ ମସିହା ନଭେମ୍ବର ୨୩ ତାରିଖରେ ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବାରମ୍ବାର ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅନୁଗୋଳ ସଦର ଥାନାରେ ଏକ ମାମଲା (କେସ୍ ନଂ-୭୫୦/୨୦୨୧) ରୁଜୁ ହୋଇଥିଲା। ପୋଲିସ ଆଇପିସିର ଧାରା ୩୭୬(୨)(n)/୩୭୬(୩)/୩୬୩ ଏବଂ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଘଟଣା ପରଠାରୁ ଅଭିଯୁକ୍ତ ଜଣକ ଫେରାର ଥିଲେ।
ତଦନ୍ତ ବେଳେ ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ହସ୍ତଗତ ହୋଇଥିଲା। ଶେଷରେ ପୋଲିସ ଜୁଲାଇ ୨୩, ୨୦୨୬ରେ ତାଙ୍କୁ ଧରିବାରେ ସଫଳ ହୋଇଛି। ଆଇନଗତ ପ୍ରକ୍ରିୟା ଅନୁଯାୟୀ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯିବା ପରେ କୋର୍ଟକୁ ଚାଲାଣ କରାଯାଇଛି। ପୋଲିସ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।