ଅନୁଗୁଳ: ଅନୁଗୁଳ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ତରଫରୁ ଏକ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ସୂଚାରୁରୂପେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଓ ବଅଁରପାଳ ବ୍ଲକର ୭୬ଟି ଉଚ୍ଚ ବିଦ୍ୟାଳୟ ଏବଂ ୨୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୪୦ରୁ ଊର୍ଦ୍ଧ୍ୱ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସମ୍ପାଦକ ଶ୍ରବଣ ବି. ରାଜ ଯୋଗଦେଇ ଛାତ୍ର ସମାଜ ଓ ରାଷ୍ଟ୍ର ପ୍ରତି ଏବିଭିପିର କର୍ତ୍ତବ୍ୟ ଏବଂ ଆଦର୍ଶ ସମ୍ବନ୍ଧରେ ଦୀକ୍ଷାନ୍ତ ବୌଦ୍ଧିକ ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ଡ. ଦେବେଶ ଶଙ୍କର ହୋତା, ଅନୁଗୁଳ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବସନ୍ତ ସାହୁ ଓ ଅଧ୍ୟାପକ ଡ. ରଞ୍ଜନ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ସାଙ୍ଗଠନିକ ଗତିବିଧି ଉପରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ଶଶାଙ୍କ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୬୦୦ରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।