ମୁଖ୍ୟ ଖବର

ଅନୁଗୋଳରେ ଏବିଭିପିର ବିଜୟ ଧ୍ୱଜା, ଛାତ୍ର ସଂସଦ ନିର୍ବାଚନରେ ବିପୁଳ ସଫଳତା

By Angul TV Bureau

October 16, 2026

ଅନୁଗୋଳ: ଦୀର୍ଘ ଆଠ ବର୍ଷ ପରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ପ୍ରାର୍ଥୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଅନୁଗୋଳ ମହିଳା ମହାବିଦ୍ୟାଳୟରେ ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ହୋଇଛି।

ଗୁରୁବାର ସକାଳୁ ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ପଦବି ପାଇଁ ମତଦାନ ଆରମ୍ଭ ହୋଇଥିଲା। ମୋଟ ୩୪୦୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧୧୭ ଜଣ ମତଦାନ କରିଥିଲେ। ଅପରାହ୍ଣ ୨ଟାରେ ଭୋଟଗ୍ରହଣ ଶେଷ ହେବା ପରେ ଗଣତି କରାଯାଇ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯାଇଥିଲା।

ସଭାପତି ପଦରେ ଏବିଭିପି ସମର୍ଥିତ ପ୍ରାର୍ଥୀ ପ୍ରିୟବ୍ରତ ସାହୁ ୧୧୯୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିସିଜେଡିର ଆଶିଷ ବେହେରା ୪୯୫ ଖଣ୍ଡ ଭୋଟ ପାଇଥିବା ବେଳେ ଏନ୍‌ଏସ୍‌ୟୁଆଇ ସମର୍ଥିତ ଲାଲା ବିଶ୍ୱାଳ ୩୯୧ ଓ ଏଆଇଡିଏସ୍‌ଓ ସମର୍ଥିତ ଜାଗୃତି ମୁଦୁଲି ୨୩ ଖଣ୍ଡ ଭୋଟ ପାଇଥିଲେ।ଉପସଭାପତି ପଦରେ ଏବିଭିପି ସମର୍ଥିତ ରାକେଶ ରୋଶନ ଭୋଇ ୯୮୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ସେହିପରି ସାଧାରଣ ସମ୍ପାଦକ ପଦରେ ସଂଗ୍ରାମ ବେହେରା ୯୩୭ ଖଣ୍ଡ ଭୋଟ ପାଇ ବାଜିମାତ କରିଥିଲେ। ଏହି ପଦ ପାଇଁ ଏନ୍‌ଏସ୍‌ୟୁଆଇ ସମର୍ଥିତ ଶିବମ କୁମାର ବିନ୍ଧାଣୀ ୬୨୫ ଓ ବିସିଜେଡି ସମର୍ଥିତ ଚିନ୍ମୟ ସାହୁ ୫୧୧ ଖଣ୍ଡ ଭୋଟ ପାଇଥିଲେ।

ସହ-ସମ୍ପାଦକ ପଦରେ ଏବିଭିପି ସମର୍ଥିତ ଅର୍ଜୁନ ରାଜପାଲ ୯୯୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ଏନ୍‌ଏସ୍‌ୟୁଆଇ ସମର୍ଥିତ ରାଧାରାଣୀ ପଣ୍ଡା ୫୩୯ ଓ ବିସିଜେଡି ସମର୍ଥିତ ଶୁଭମ ବାରିକ ୫୩୭ ଖଣ୍ଡ ଭୋଟ ପାଇଥିଲେ। ସେହିପରି ଡ୍ରାମା ସୋସାଇଟି ସମ୍ପାଦକ ଭାବେ ମହେଶ ନାଥ ଓ ସହ-ସମ୍ପାଦକ ଭାବେ ସ୍ୱର୍ଣ୍ଣପ୍ରିୟା ବେହେରା ନିର୍ବାଚିତ ହୋଇଛନ୍ତି। ଆଥଲେଟିକ୍‌ କ୍ଲବ୍‌ ସମ୍ପାଦକ ଭାବେ ଦେବାଶିଷ ସାମଲ ଓ ସହ-ସମ୍ପାଦକ ଭାବେ ରତିକାନ୍ତ ନାୟକ ବିଜୟୀ ହୋଇଛନ୍ତି।

ବଏଜ୍‌ କମନ୍‌ରୁମ୍‌ ସମ୍ପାଦକ ଭାବେ ଅମିତ କୁମାର ସାହୁ ଓ ସହ-ସମ୍ପାଦକ ଭାବେ ବିବେକାନନ୍ଦ ସାହୁ, ଗାର୍ଲସ୍‌ କମନ୍‌ରୁମ୍‌ ସମ୍ପାଦକ ଭାବେ ପ୍ରୀତିରେଖା ସାହୁ ଓ ସହ-ସମ୍ପାଦକ ଭାବେ ପ୍ରିୟଙ୍କା ସାହୁ ବିଜୟୀ ହୋଇଛନ୍ତି। ଏସ୍‌ଏସ୍‌ଜି ସମ୍ପାଦକ ଭାବେ ସରିତା ସାହୁ ଓ ସହ-ସମ୍ପାଦକ ଭାବେ ପାୟଲ ପ୍ରିୟଦର୍ଶିନୀ ନିର୍ବାଚିତ ହୋଇଛନ୍ତି।

ସେହିପରି ଡେ’ ସ୍କୋଲାର ଆସୋସିଏସନ୍‌ ସମ୍ପାଦକ ଭାବେ ବହ୍ନିଶିଖା ସାହୁ, ହ୍ୟୁମାନିଟିଜ୍‌ ସୋସାଇଟି ସହ-ସମ୍ପାଦକ ଭାବେ ସ୍ୱୟଂପ୍ରଭା ସାହୁ, କମର୍ସ ସୋସାଇଟି ସମ୍ପାଦକ ଭାବେ ସୋନମ ମହାପାତ୍ର, ସାଇନ୍ସ ସୋସାଇଟି ସମ୍ପାଦକ ଭାବେ ଦେବପ୍ରସାଦ ପ୍ରଧାନ ଓ ସହ-ସମ୍ପାଦକ ଭାବେ ପ୍ରଜ୍ଞା ପରମିତା ପ୍ରଧାନ ଏବଂ ଓଡ଼ିଆ ସାହିତ୍ୟ ସଂସଦ ସମ୍ପାଦକ ଭାବେ ତପସ୍ୱିନୀ ବିଶ୍ୱାଳ ବିଜୟୀ ହୋଇଛନ୍ତି।