ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ପ୍ରଥମ ବାର୍ଷିକ ସାଧାରଣ ବୈଠକ ଆଜି ସ୍ଥାନୀୟ କଦମ ପଡିଆ ସ୍ଥିତ ନିଜସ୍ବ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ସଭାରେ ଜିଲ୍ଲା କ୍ରିକେଟ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରି ଜିଲ୍ଲାରେ କ୍ରିକେଟର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ଏବେ ଜିଲ୍ଲାରୁ ରାଜ୍ୟସ୍ତରୀୟ କ୍ରିକେଟ ଖେଳାଳି ବାହାରୁଥିବାରୁ ଆଗାମୀ ଦିନରେ ଏହା ଶୁଭଙ୍କର ହେବ ସେ ବୋଲି ପ୍ରକାଶ କରିଥିଲେ। ପରେ ସମ୍ପାଦକ ସାଗରନାଥ ମିଶ୍ର ସଂଘର ବାର୍ଷିକ ତଥ୍ୟ ଉପସ୍ଥାପନା କରିବା ସହିତ ଆସନ୍ତା ବର୍ଷ ପାଇଁ ଜିଲ୍ଲା କ୍ରିକେଟ ସଂଘର କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇଥିଲେ। କୋଷାଧ୍ୟକ୍ଷ ରଞ୍ଜନ କୁମାର ଧୀରସାମନ୍ତ ବାର୍ଷିକ ଆୟ ଓ ବ୍ୟୟର ବିବରଣୀ ପାଠ କରିଥିଲେ।
ବୈଠକରେ ଜିଲ୍ଲା କ୍ରିକେଟ ସଂଘର ବରିଷ୍ଠ କର୍ମକର୍ତ୍ତା ତଥା ଓଡିଶାର ପୂର୍ବତନ ରଣଜୀ ଟ୍ରଫି ଖେଳାଳି, ଓଡିଶା କ୍ରିକେଟ ସଂଘର ପୂର୍ବତନ ଉପ-ସଭାପତି ବଳଭଦ୍ର ପଟ୍ଟନାୟକ, ଓସିଏର ପୂର୍ବତନ ଉପ-ସଭାପତି ଓ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।