ଅନୁଗୁଳ: ଅନୁଗୁଳ ଜିଲ୍ଲା ଗଡସନ୍ତ୍ରୀ ପଞ୍ଚାୟତ କାର୍ଯ୍ୟାଳୟରେ ବିଶ୍ଵ ଯୁବ କେନ୍ଦ୍ର, ବଣିନାଳି ଦ୍ୱାରା ପରିଚାଳିତ ‘ଆକ୍ସେସ ଟୁ ଜଷ୍ଟିସ’ ପ୍ରକଳ୍ପ ଅଧୀନରେ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଛି।
ଅତିଥି ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଲିଲି ଦାସ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶରତ କୁମାର ସାହୁ, ସରପଞ୍ଚ ଟଙ୍କଧର ବେହେରା, ଏଡିଓ ବସନ୍ତ କୁମାର ପ୍ରଧାନ ଓ ଏମବିକେ ସଂଗୀତା ସାହୁ ଉପସ୍ଥିତ ଥିଲେ। ଗଡସନ୍ତ୍ରୀ, ତୁଳସୀପାଳ ଓ ବଉଳିଗଡ ପଞ୍ଚାୟତର ହିତାଧିକାରୀ, ଅଙ୍ଗନବାଡ଼ି କର୍ମୀ, ମିଶନ ଶକ୍ତି କର୍ମୀ ଓ ଭିଆରପିମାନେ ଯୋଗ ଦେଇଥିଲେ।
ପ୍ରକଳ୍ପ ସଂଯୋଜିକା ପୂଜା ସ୍ୱାଇଁ ଅତିଥିଙ୍କୁ ସ୍ୱାଗତ କରି ପ୍ରକଳ୍ପର ଉଦ୍ଦେଶ୍ୟ ଓ ବିବରଣୀ ବିଷୟରେ ଅବଗତ କରାଇଥିଲେ। ବୈଠକରେ ବାଲ୍ୟ ବିବାହର କୁପରିଣାମ, ଆଇନଗତ ଦଣ୍ଡବିଧାନ, ଶିଶୁ ଶ୍ରମ ନିରାକରଣ, ଶିଶୁ ଯୌନ ନିର୍ଯାତନା ନିବାରଣ ସମ୍ବନ୍ଧୀୟ ସରକାରୀ ଯୋଜନା ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ବିଭିନ୍ନ ଯୋଜନା, ବିବାହ ପଞ୍ଜୀକରଣ, ଅନ୍ତୋଦୟ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ସିଡିପିଓ ମମତା ଯୋଜନା, ପୋଷଣ କାର୍ଯ୍ୟକ୍ରମ ଓ ମହିଳା-ଶିଶୁ ସୁରକ୍ଷା ବିଷୟରେ ସୂଚନା ଦେଇଥିଲେ।
ସଭା ଶେଷରେ ପ୍ରକଳ୍ପ ସହାୟିକା ଲକ୍ଷ୍ମୀ ବେହେରା ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ପରିଶେଷରେ ବାଲ୍ୟ ବିବାହ ରୋକିବା ପାଇଁ ସମସ୍ତେ ଶପଥ ନେଇଥିଲେ।